ମସ୍କୋ, ୨୦ ଅଗଷ୍ଟ: ରୁଷିଆ-ଆମେରିକା ଟାରିଫ୍ ବିବାଦ ମଧ୍ୟରେ ରୁଷିଆ ଭାରତ ପ୍ରତି ନିଜର ସ୍ପଷ୍ଟ ଅବସ୍ଥାନ ଜଣାଇଛି। ରୁଷିଆ କହିଛି ଯେ, ଭାରତ ରୁଷ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଆମେରିକୀୟ ଚାପ ଦ୍ୱାରା ଏହି ସହଯୋଗ ପ୍ରଭାବିତ ହେବା ନାହିଁ।
ଭାରତରେ ଥିବା ରୁଷୀୟ ଦୂତାବାସର ରୋମାନ ବାବୁଶକିନ ଏକ ସାମ୍ବାଦିକ ସମ୍ମିଳନୀରେ ଆମେରିକାର ତେଲ ଶୁଳ୍କ ନୀତିକୁ “ଭୁଲ ଏବଂ ଏକପାଖିଆ” ବୋଲି ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଯଦି ପଶ୍ଚିମ ଦେଶଗୁଡ଼ିକ ତୁମକୁ ସମାଲୋଚନା କରୁଛନ୍ତି, ତେବେ ତାର ଅର୍ଥ ହେଉଛି ତୁମେ ଠିକ ପଥରେ ଅଛ।”
ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଟେଲିଫୋନିକ୍ ଆଲୋଚନା ହୋଇଥିଲା। ସେଠାରେ ଦୁଇଜଣ ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ଦ୍ୱିପାକ୍ଷିକ ସହଯୋଗ ନେଇ ଚର୍ଚ୍ଚା କରିଥିଲେ। ଭାରତ ପୁନର୍ବାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ କରିଛି।
ବାବୁଶକିନ କହିଛନ୍ତି, ରୁଷ କେବେବି ଭାରତ ଉପରେ କଟକଣା କିମ୍ବା ଚାପ ପକାଇବ ନାହିଁ, ବରଂ ଅଶୋଧିତ ତୈଳ ଯୋଗାଣ ନିଶ୍ଚିତ କରିବାକୁ ବିକଳ୍ପ ବ୍ୟବସ୍ଥା କରିଛି। ସେଥିପାଇଁ ଏହି ସହଭାଗୀତା ଆମେରିକାର ଚାପରେ ପ୍ରଭାବିତ ହେବା ନାହିଁ।
ସେ ଆହୁରି ସୂଚନା ଦେଇଛନ୍ତି ଯେ ରାଷ୍ଟ୍ରପତି ପୁଟିନ ଏହି ବର୍ଷ ଶେଷ ସୁଦ୍ଧା ଭାରତ ଗସ୍ତରେ ଆସିବେ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଭେଟିବେ। ଏହି ଗସ୍ତ ଭାରତ-ରୁଷ ସମ୍ପର୍କରେ ନୂତନ ଶକ୍ତି ସଞ୍ଚାର କରିବ ବୋଲି ଆଶା କରାଯାଉଛି।
ସେହିସହିତ, ରୁଷ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀଙ୍କ ଭାରତ ଗସ୍ତକୁ ସଫଳ ବୋଲି ବର୍ଣ୍ଣନା କରିଛି ଏବଂ ଭାରତ-ରୁଷ-ଚୀନ ତ୍ରିପାକ୍ଷିକ ବୈଠକ ଖୁବ୍ଶୀଘ୍ର ହେବ ବୋଲି ଆଶା ବ୍ୟକ୍ତ କରିଛି। ଏହି ସହଯୋଗ ଏସିଆର ଭୂରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ।





