ମସ୍କୋ: ରୁଷ–ୟୁକ୍ରେନ ଯୁଦ୍ଧକୁ ପ୍ରାୟ ଚାରି ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ଏବଂ ଶାନ୍ତି ଆଲୋଚନାର ସମ୍ଭାବନା ନେଇ ଆଲୋଚନା ଚାଲୁଥିବା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ସାମ୍ନାକୁ ଆସିଛି। ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଅଭିଯୋଗ କରିଛନ୍ତି ଯେ, ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସରକାରୀ ବାସଭବନକୁ ଲକ୍ଷ୍ୟ କରି ବୃହତ ଡ୍ରୋନ ଆକ୍ରମଣ କରିଛି।

ଲାଭରୋଭଙ୍କ କହିବାନୁସାରେ, ଡିସେମ୍ବର ୨୮ ଓ ୨୯ ତାରିଖ ମଧ୍ୟରାତ୍ରୀରେ ନୋଭଗୋରୋଡ ଅଞ୍ଚଳରେ ଅବସ୍ଥିତ ରାଷ୍ଟ୍ରପତିଙ୍କ ବାସଭବନକୁ ଟାର୍ଗେଟ କରି ୯୧ଟି ଦୂରଗାମୀ ଡ୍ରୋନ ପଠାଯାଇଥିଲା। ତେବେ ରୁଷର ବାୟୁ ପ୍ରତିରକ୍ଷା ପ୍ରଣାଳୀ ସମୟରେ କାର୍ଯ୍ୟକ୍ଷମ ହୋଇ ସମସ୍ତ ଡ୍ରୋନକୁ ମଝିଆକାଶରେ ଧ୍ୱଂସ କରିଦେଇଥିବା ଦାବି କରାଯାଇଛି।

ରୁଷ ସରକାର ଏହି ଘଟଣାକୁ ୟୁକ୍ରେନ ସରକାର ପ୍ରାୟୋଜିତ ଏକ “ଆତଙ୍କବାଦୀ ଆକ୍ରମଣ” ବୋଲି ଅଭିହିତ କରିଛି ଏବଂ ଏପରି କାର୍ଯ୍ୟର ଯଥୋଚିତ ପ୍ରତିଉତ୍ତର ଦିଆଯିବ ବୋଲି ସଚେତନ କରାଇଛି। ତଥାପି, ଆକ୍ରମଣ ସମୟରେ ରାଷ୍ଟ୍ରପତି ପୁଟିନ ସେହି ବାସଭବନରେ ଉପସ୍ଥିତ ଥିଲେ କି ନାହିଁ, ସେନେଇ କୌଣସି ସରକାରୀ ସୂଚନା ମିଳିନାହିଁ।

ୟୁକ୍ରେନର ପ୍ରତିକ୍ରିୟା

ଏହି ଅଭିଯୋଗକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛି ୟୁକ୍ରେନ। ଦେଶର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଯେ, ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ନେଇ ରୁଷ ପକ୍ଷରୁ ହୋଇଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା ଏବଂ କଳ୍ପିତ।

ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ତଣାତଣି ଆହୁରି ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।