ନୂଆଦିଲ୍ଲୀ: ସୁରକ୍ଷା କାରଣ ଦର୍ଶାଇ ଆମେରିକା ଗ୍ରିନ୍‌ଲାଣ୍ଡ ଦଖଲ ନେଇ ଯେଉଁ ଉଦ୍ୟମ କରୁଛି, ସେଥିପାଇଁ ରୁଷ୍‌ କଠୋର ଆପତ୍ତି ଜଣାଇଛି। ରୁଷ୍‌ ସ୍ପଷ୍ଟ କରିଛି ଯେ ଗ୍ରିନ୍‌ଲାଣ୍ଡ ଡେନମାର୍କର ଏକ ଅଭିନ୍ନ ଅଂଶ ଓ ଏହାର ସାର୍ବଭୌମତ୍ୱ ଉପରେ କୌଣସି ପ୍ରଶ୍ନ ଉଠିପାରେ ନାହିଁ। ବିଶ୍ୱର ସବୁଠାରୁ ବୃହତ୍ତମ ଦ୍ୱୀପକୁ ନେଇ ଆମେରିକାର ପଦକ୍ଷେପକୁ ରୁଷ୍‌ ପ୍ରଥମଥର ପାଇଁ ସର୍ବସାଧାରଣରେ ବିରୋଧ କରିଛି।

ରୁଷ୍‌ର କହିବା ଅନୁଯାୟୀ, ଗ୍ରିନ୍‌ଲାଣ୍ଡ ସମ୍ପର୍କିତ ସୁରକ୍ଷା ପରିସ୍ଥିତିକୁ ଅନ୍ତର୍ଜାତୀୟ ଦୃଷ୍ଟିକୋଣରୁ ଦେଖିଲେ ଏହା ଅତ୍ୟନ୍ତ ସମ୍ବେଦନଶୀଳ ଓ ଅସାଧାରଣ। ପଶ୍ଚିମ ଦେଶମାନେ ରୁଷ୍‌ ଓ ଚୀନ୍‌ ଗ୍ରିନ୍‌ଲାଣ୍ଡ ପାଇଁ ଧମକ ସୃଷ୍ଟି କରୁଛନ୍ତି ବୋଲି କରୁଥିବା ଦାବିକୁ ମସ୍କୋ ଅଗ୍ରହଣୀୟ ବୋଲି ଅଭିହିତ କରିଛି। ଏହି ମାମଲାକୁ ନେଇ ପଶ୍ଚିମ ଶକ୍ତିମାନଙ୍କର ଦୋମୁହାଁ ନୀତି ପ୍ରକାଶ ପାଇଛି ବୋଲି ରୁଷ୍‌ ଅଭିଯୋଗ କରିଛି।

ରୁଷ୍‌ ବିଦେଶ ମନ୍ତ୍ରାଳୟର ସୂଚନା ଓ ପ୍ରେସ୍‌ ବିଭାଗ ନିର୍ଦ୍ଦେଶକ ମାରିଆ ଜାଖାରୋଭା ‘ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା’କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଏହି ଧାରଣା ପଶ୍ଚିମ ଦେଶମାନଙ୍କ ଦ୍ୱାରା ନିଜ ସ୍ୱାର୍ଥରେ ବ୍ୟବହୃତ ହେଉଛି।

ପଦାରେ ପଡ଼ିଲା ଅନ୍ତର୍ଜାତୀୟ ଶୃଙ୍ଖଳାର ଦୁର୍ବଳତା

ସୋସିଆଲ୍‌ ମିଡିଆ ଏକ୍ସରେ ଜାରି ଏକ ବିବୃତ୍ତିରେ ରୁଷ୍‌ ବିଦେଶ ମନ୍ତ୍ରାଳୟ କହିଛି ଯେ, ଗ୍ରିନ୍‌ଲାଣ୍ଡକୁ ନେଇ ଉତ୍ତେଜନା ପଶ୍ଚିମ ଦେଶମାନଙ୍କ ନିୟମ ଆଧାରିତ ଅନ୍ତର୍ଜାତୀୟ ଶୃଙ୍ଖଳାର ବିଫଳତାକୁ ସ୍ପଷ୍ଟ କରୁଛି।

ଏହି ମଧ୍ୟବେଳେ, ଆମେରିକାର ଚାପ ମଧ୍ୟରେ ଡେନମାର୍କର କିଛି ନାଟୋ ସହଯୋଗୀ ଦେଶ ମଧ୍ୟ ଗ୍ରିନ୍‌ଲାଣ୍ଡକୁ ସେନା ପଠାଇଛନ୍ତି। ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡ ତାଙ୍କର ସେନାଦଳ ଏହି ଅଞ୍ଚଳକୁ ପଠାଇଥିବା ଜଣାପଡ଼ିଛି। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଓ ବିଦେଶ ସଚିବ ମାର୍କୋ ରୁବିଓଙ୍କ ସହ ଡେନମାର୍କ ଏବଂ ଗ୍ରିନ୍‌ଲାଣ୍ଡ ପ୍ରତିନିଧିମାନଙ୍କ ଆଲୋଚନା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି।