ୱାସିଂଟନ, ୨୬।୧: ଆମେରିକାର ବିଶାଳ ଅଞ୍ଚଳକୁ ପ୍ରଭାବିତ କରୁଥିବା ପ୍ରବଳ ଶୀତକାଳୀନ ଝଡ଼ ଜନଜୀବନକୁ ଅସ୍ଥିର କରିଦେଇଛି। ଭୟଙ୍କର ଥଣ୍ଡା, ବରଫପାତ ଓ ପ୍ରତିକୂଳ ପାଣିପାଗ ଯୋଗୁଁ ଦେଶବ୍ୟାପୀ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହାସହ ବିମାନ ଚଳାଚଳ ଗୁରୁତର ଭାବେ ବ୍ୟାହତ ହୋଇଛି।
ହଜାରେ ଅଧିକ ବିମାନ ବାତିଲ
ପ୍ରତିକୂଳ ପାଗ ଯୋଗୁଁ ଉତ୍ତର-ପୂର୍ବ ଆମେରିକାର ବୋଷ୍ଟନ୍ ଓ ନ୍ୟୁୟର୍କର ଜନ୍ ଏଫ୍ କେନେଡି ଅନ୍ତର୍ଜାତୀୟ ବିମାନ ବନ୍ଦର ସହ ଅନେକ ପ୍ରମୁଖ ବିମାନବନ୍ଦରରେ ସେବା ପ୍ରଭାବିତ ହୋଇଛି। ଡେଲଟା ଏୟାରଲାଇନ୍ସ ଓ ଆମେରିକାନ୍ ଏୟାରଲାଇନ୍ସ ପକ୍ଷରୁ ଶତାଧିକ ଫ୍ଲାଇଟ୍ ବାତିଲ କରାଯାଇଛି। ଫ୍ଲାଇଟ୍ ଟ୍ରାକିଂ ଡାଟା ଅନୁଯାୟୀ, ମଙ୍ଗଳବାର ରାତି ସୁଦ୍ଧା ପ୍ରାୟ ୧,୦୦୦ ବିମାନ ବାତିଲ ହୋଇଥିବା ବେଳେ, ଗତ ରବିବାର ଓ ସୋମବାର ମିଶି ମୋଟ ୧୧,୬୦୦ରୁ ଅଧିକ ବିମାନ ସେବା ବନ୍ଦ ରହିଥିଲା।
ଦୁର୍ଘଟଣାରେ ହାରାଇଲେ ପ୍ରାଣ
ପ୍ରବଳ ଥଣ୍ଡା ଓ ବରଫପାତ ଯୋଗୁଁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ମାସାଚୁସେଟ୍ସ ଓ ଓହିଓରେ ବରଫ ହଟାଇବା ଯାନ ଧକ୍କା ଦେବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଆର୍କାନସାସ୍ ଓ ଟେକ୍ସାସରେ ସ୍ଲେଡିଂ ସମୟରେ କିଶୋରମାନେ ପ୍ରାଣ ହାରାଇଛନ୍ତି। ନ୍ୟୁୟର୍କ ସହରରେ ଶୀତଝଡ଼ ମଧ୍ୟରେ ବାହାରେ ଆଠ ଜଣଙ୍କ ମୃତଦେହ ମିଳିଥିବା ଖବର ମିଳିଛି।
ବିଦ୍ୟୁତ୍ ବିଭ୍ରାଟ, ସ୍କୁଲ ବନ୍ଦ
ଶୀତଝଡ଼ର ପ୍ରଭାବରେ ସୋମବାର ସନ୍ଧ୍ୟା ସୁଦ୍ଧା ଦେଶରେ ୫ ଲକ୍ଷ ୬୦ ହଜାରରୁ ଅଧିକ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ଅନେକ ସ୍ଥାନରେ ଗଛ ଉଖଳି ପଡ଼ିବା ସହ ବିଦ୍ୟୁତ୍ ତାର ଛିଡ଼ିଯାଇଛି। ପରିସ୍ଥିତି ଦୃଷ୍ଟିରେ ଅନେକ ଜିଲ୍ଲାରେ ସ୍କୁଲ-କଲେଜ ବନ୍ଦ କରାଯାଇଥିବା ବେଳେ କିଛି ସ୍ଥାନରେ ଅନଲାଇନ୍ ପାଠପଢ଼ା ଆରମ୍ଭ ହୋଇଛି।
ଜାତୀୟ ପାଣିପାଗ ସେବା ସତର୍କ କରାଇଛି ଯେ, ଏହି ସପ୍ତାହ ଶେଷରେ ଆଉ ଏକ ଆର୍କଟିକ୍ ବାୟୁ ପ୍ରବାହ ଆସିପାରେ, ଯାହା ତାପମାତ୍ରାକୁ ଆହୁରି କମାଇ ନୂତନ ଶୀତଝଡ଼ ସୃଷ୍ଟି କରିବାର ଆଶଙ୍କା ରହିଛି।





