ନୂଆଦିଲ୍ଲୀ, ୩ ନଭେମ୍ବର: ଏବର୍ଷ ପ୍ରଯୁକ୍ତି ଜଗତରେ ଭାରି ଛଟେଇ ଲହର ଦେଖାଯାଇଛି। ବିଶ୍ବଜୁଡ଼ା ଏକ ଲକ୍ଷରୁ ଅଧିକ ଲୋକ ଚାକିରି ହରାଇଛନ୍ତି ଏବଂ ଏହାର ପ୍ରଧାନ କାରଣ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ର ବ୍ୟାପକ ପ୍ରୟୋଗ। Layoffs.fyi ର ତଥ୍ୟ ଅନୁସାରେ, ୨୦୨୫ରେ ଏପର୍ଯ୍ୟନ୍ତ ୨୧୮ଟି ପ୍ରଯୁକ୍ତି କମ୍ପାନି ମିଶି ୧,୧୨,୭୩୨ କର୍ମଚାରୀଙ୍କୁ ଛଟେଇ କରିଛନ୍ତି।

ବିଶ୍ବସ୍ତରରେ ବଡ଼ ଆଇଟି ଏବଂ ଟେକ୍ କମ୍ପାନିମାନେ ବ୍ୟବସାୟ ନୀତିର ପରିବର୍ତ୍ତନ ଓ AI ର ଅଧିକ ନିର୍ଭରଶୀଳତା ପାଇଁ କର୍ମଚାରୀ ସଂଖ୍ୟା କମାଇବା ଆରମ୍ଭ କରିଛନ୍ତି।

ଆମାଜନ (Amazon) ୧୪ ହଜାର କର୍ମଚାରୀଙ୍କୁ ବିଦା କରିଛି, ବିଶେଷକରି କ୍ଲାଉଡ୍‌, ପରିଚାଳନା ଓ ମାନବ ସମ୍ବଳ ବିଭାଗରେ। ଇଣ୍ଟେଲ୍‌ (Intel) ପକ୍ଷରୁ ପ୍ରାୟ ୨୪ ହଜାର ଛଟେଇ ହୋଇଛି, ଯାହା ପରେ କମ୍ପାନିର କର୍ମଚାରୀ ସଂଖ୍ୟା ୭୫ ହଜାରରେ ଆସିଥିବା ଜଣାପଡ଼ିଛି।

ଟାଟା କନ୍ସଲଟାନ୍ସି ସର୍ଭିସେସ୍‌ (TCS) ମଧ୍ୟ ୧୨ ହଜାର କର୍ମଚାରୀଙ୍କୁ ବିଦା କରିଛି, ଯାହା ଫଳରେ ୨୦୨୨ ପରେ ପ୍ରଥମଥର ପାଇଁ କମ୍ପାନିର ସଂଖ୍ୟା ୬୦ ହଜାର ତଳକୁ ହ୍ରାସ ପାଇଛି।

ଆକ୍ସେଞ୍ଚର (Accenture) ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିଛି, ଫଳରେ କମ୍ପାନିର ମୋଟ କର୍ମଚାରୀ ସଂଖ୍ୟା ୭୯୧,୦୦୦ରୁ କମି ୭୭୯,୦୦୦ ହୋଇଛି।

ମାଇକ୍ରୋସଫ୍ଟ (Microsoft) ୯୦୦୦ କର୍ମଚାରୀଙ୍କୁ ବିଦା କରିଛି, କାରଣ AI ଓ କ୍ଲାଉଡ୍‌ କମ୍ପ୍ୟୁଟିଂରେ ନିବେଶ ବଢ଼ାଇବା ପାଇଁ କମ୍ପାନି ସଂଗଠନ ପୁନର୍ଗଠନ କରୁଛି।

ସେଲ୍ସଫୋର୍ସ (Salesforce) ୪୦୦୦ ଛଟେଇ କରିଛି, ଯେଉଁଠି ଅଧିକାଂଶ ଗ୍ରାହକ ସେବାକାର୍ଯ୍ୟ ଏବେ AI ମାଧ୍ୟମରେ କରାଯାଉଛି। ସିସ୍କୋ (Cisco) ୪୨୫୦, ମେଟା (Meta) ୬୦୦, ଓରାକଲ୍‌ (Oracle) ୧୦୧ ଓ ୟୁନାଇଟେଡ୍‌ ପାର୍ସେଲ୍‌ ସର୍ଭିସ୍‌ (UPS) ୪୮ ହଜାର କର୍ମଚାରୀଙ୍କୁ ବିଦା କରିଛି।

ସେହିପରି, କାର୍ ନିର୍ମାତା ଫୋର୍ଡ (Ford) ୧୩,୦୦୦ ଛଟେଇ ଯୋଜନା କରିଛି, ଯେଉଁଥିରେ ପିଡବ୍ଲ୍ୟୁସି (PwC) ୫୬୦୦ ଓ ପାରାମାଉଣ୍ଟ ଗ୍ଲୋବାଲ୍‌ (Paramount Global) ୨୦୦୦ କର୍ମଚାରୀଙ୍କୁ ବିଦା କରିଛି।

ବିଶେଷଜ୍ଞମାନଙ୍କ ମତାନୁସାରେ, ଆସନ୍ତା କିଛି ବର୍ଷ ମଧ୍ୟରେ AI ଓ ଅଟୋମେସନ୍‌ ଆଧାରିତ ପ୍ରକ୍ରିୟା ଆହୁରି ବିସ୍ତାରିତ ହେବା ଫଳରେ ଏପରି ଛଟେଇ ଘଟଣା ଅଧିକ ଦେଖିବାକୁ ମିଳିପାରେ।