ନୋମ୍ ପେନ୍, ୨୦।୧୨: ଥାଇଲ୍ୟାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଦୀର୍ଘଦିନର ସୀମା ବିବାଦ ଏବେ ଭୟାବହ ସେନା ମୁକାବିଲାରେ ପରିଣତ ହୋଇଛି। ଉଭୟ ଦେଶ ପକ୍ଷରୁ ପରସ୍ପର ଉପରେ ଲଗାତାର ଆକ୍ରମଣ ଚାଲିଥିବା ବେଳେ, ଥାଇ ବାୟୁସେନା କାମ୍ବୋଡିଆ ଭିତରେ ପ୍ରବେଶ କରି ଏକ ବଡ଼ ଏୟାରଷ୍ଟ୍ରାଇକ୍ କରିଥିବା ଅଭିଯୋଗ ହୋଇଛି।
ରିପୋର୍ଟ ଅନୁଯାୟୀ, ଥାଇଲ୍ୟାଣ୍ଡର ଏଫ-୧୬ ଲଢ଼ୁଆ ବିମାନ ଦ୍ୱାରା କାମ୍ବୋଡିଆ ସୀମାଭିତରେ ଥିବା ଏକ କାସିନୋକୁ ଟାର୍ଗେଟ କରି ଭୟଙ୍କର ବୋମାମାଡ଼ କରାଯାଇଛି। ଏହି ଆକ୍ରମଣରେ କାସିନୋଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଜଣାପଡ଼ିଛି। ନିକଟସ୍ଥ ଗାଁର କିଛି ଗ୍ରାମବାସୀ ଏହି ଭୟାବହ ବିସ୍ଫୋରଣର ଭିଡିଓ ମୋବାଇଲ୍ରେ ଧରିଥିବା ବେଳେ, ସେହି ଭିଡିଓ ସୋସିଆଲ୍ ମିଡିଆରେ ଦ୍ରୁତ ଗତିରେ ପ୍ରସାରିତ ହେଉଛି।
ସକାଳେ ଉଠାଇଦେଲା ବିସ୍ଫୋରଣର ଶବ୍ଦ
ଶନିବାର ସକାଳେ କାମ୍ବୋଡିଆ–ଥାଇଲ୍ୟାଣ୍ଡ ସୀମା ନିକଟରେ ହଟାତ୍ ଭୟଙ୍କର ବିସ୍ଫୋରଣର ଶବ୍ଦ ଶୁଣି ଅନେକ ଲୋକ ଭୟଭୀତ ହୋଇଯାଇଥିଲେ। ଥାଇ ବାୟୁସେନା ପକ୍ଷରୁ ସଂଗଠିତ ଏହି ଆକ୍ରମଣ ସୀମା ନିକଟରେ ଥିବା ଏକ କାସିନୋକୁ କେନ୍ଦ୍ର କରି କରାଯାଇଥିଲା। ଏଫ-୧୬ ବିମାନରୁ ନିକ୍ଷେପିତ ବୋମା ଆଘାତରେ କାସିନୋଟି ପାଉଁଶ ହୋଇଯାଇଛି।
କାସିନୋ ନୁହେଁ, ସେନା ଦୁର୍ଗ?
ଥାଇ ସେନା ଦାବି କରିଛି ଯେ ଉକ୍ତ କାସିନୋଗୁଡ଼ିକ କେବଳ ଜୁଆ ଆଡ୍ଡା ନୁହେଁ, ବରଂ କାମ୍ବୋଡିଆ ସେନା ଦ୍ୱାରା ସେଗୁଡ଼ିକୁ ସୁରକ୍ଷିତ ସେନା ଦୁର୍ଗ ଏବଂ ଅସ୍ତ୍ର ସଂରକ୍ଷଣ କେନ୍ଦ୍ର ଭାବେ ବ୍ୟବହାର କରାଯାଉଥିଲା। ଏହି ସନ୍ଦେହ ଆଧାରରେ ଥାଇଲ୍ୟାଣ୍ଡ ପକ୍ଷରୁ ସୀମା ନିକଟରେ ଥିବା କାସିନୋଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଧ୍ୱଂସ କରାଯାଉଥିବା ଦାବି କରାଯାଇଛି।
ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ତଣାତଣି ଆହୁରି ବଢ଼ିଥିବା ବେଳେ, ସୀମାଞ୍ଚଳରେ ଯୁଦ୍ଧସଦୃଶ ପରିସ୍ଥିତି ଜାରି ରହିଛି।





