ନୂଆଦିଲ୍ଲୀ: ଦେଶରେ ବାଘ ଏବଂ ଚିତାବାଘ ସଂଖ୍ୟା ବୃଦ୍ଧି ପାଇଥିବା ସତ୍ତେ, ଏବେ ସେମାନଙ୍କରେ ଆନୁବଂଶିକ ରୋଗ ଗୁରୁତ୍ୱପୂର୍ଣ୍ଣ ସଙ୍କଟ ସୃଷ୍ଟି କରିଛି। ବିଶେଷଜ୍ଞମାନଙ୍କ ମତାନୁସାରେ, ଛୋଟ ଛୋଟ ଗୋଷ୍ଠୀରେ ବିଭକ୍ତ ହୋଇଥିବା ବାଘ-ଚିତାବାଘଙ୍କ ମଧ୍ୟରେ ବାରମ୍ବାର ଅନ୍ତଃପ୍ରଜନନ ହେବାରୁ ଜିନ୍ ପୁଲ୍ ସଙ୍କଟ ଗଭୀର ହେଉଛି।

ବିଭିନ୍ନ ବ୍ୟାଘ୍ର ସଂରକ୍ଷଣରେ ଥିବା ବାଘମାନେ ପ୍ରଜନନ ସମୟରେ ସୀମିତ ସାଥୀ ବାଛିବାକୁ ବାଧ୍ୟ ହେଉଛନ୍ତି। ଏହାର ଫଳରେ ଜନ୍ମିତ ଶାବକମାନଙ୍କରେ ଦୁର୍ବଳ ଜିନ୍, ଜନ୍ମଜାତ ରୋଗ ଏବଂ କମ୍ ପ୍ରତିରୋଧକ ଶକ୍ତି ଦେଖାଯାଉଛି। ପ୍ରାଣୀବିଦ୍‌ମାନେ ସତର୍କ କରିଛନ୍ତି, ଏହି ପ୍ରବୃତ୍ତି ଚାଲିଥିଲେ ଆଗାମୀ ପିଢ଼ି ପାଇଁ ବାଘ ଓ ଚିତାବାଘ ଅସ୍ତିତ୍ୱ ସଙ୍କଟରେ ପଡ଼ିପାରେ।

ସରକାରୀ ତଥ୍ୟ ଅନୁସାରେ, ବର୍ତ୍ତମାନ ଦେଶରେ ପ୍ରାୟ ୪ ହଜାର ବାଘ-ଚିତାବାଘ ରହିଛି। ୨୦୨୨ରେ ବାଘ ସଂଖ୍ୟା ୩,୬୮୨କୁ ପହଞ୍ଚିଥିଲା, ଯାହା ୨୦୧୦ର ୧,୭୦୬ ତୁଳନାରେ ଦ୍ୱିଗୁଣିତ। ଏହାକୁ ପ୍ରୋଜେକ୍ଟ ଟାଇଗରର ସଫଳତା ଭାବରେ ଦେଖାଯାଉଥିଲେ, ଏବେ ଆନୁବଂଶିକ ରୋଗ ନୂଆ ସମସ୍ୟା ପାଲଟିଛି।

ବିଶେଷଜ୍ଞମାନଙ୍କ ସୁପାରିଶ, ବିଭିନ୍ନ ବ୍ୟାଘ୍ର ସଂରକ୍ଷଣକୁ କରିଡର ମାଧ୍ୟମରେ ସଂଯୋଗ କରିବା ଅତ୍ୟାବଶ୍ୟକ। ଏହା ହେଲେ ବିଭିନ୍ନ ଗୋଷ୍ଠୀରେ ପ୍ରଜନନ ସମ୍ଭବ ହୋଇ ଜିନ୍ ବିବିଧତା ବଢ଼ିବ, ଯାହା ଆନୁବଂଶିକ ରୋଗର ଜୋଖିମ୍‌କୁ କମେଇପାରିବ।