ନ୍ୟୁୟର୍କ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମିଳିତ ଜାତିସଂଘ ସାଧାରଣ ସଭାରେ ଭାଷଣ ଦେଇ ଦାବି କରିଛନ୍ତି ଯେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ସେଇ ତାଙ୍କ ପ୍ରୟାସର ଫଳ। ମଙ୍ଗଳବାର ସଭାରେ ସେ କହିଥିଲେ, “ମୁଁ ସାତଟି ଯୁଦ୍ଧ ସମାପ୍ତ କରିଛି। କୌଣସି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି କିମ୍ବା ଦେଶ ଏହା କରିପାରିନାହାନ୍ତି। କେବଳ ସାତ ମାସରେ ମୁଁ ଏହାକୁ ସଫଳ କରିଛି, ଏବଂ ଏଥିପାଇଁ ମୁଁ ଗର୍ବିତ।”
ତଥାପି, ଭାରତ ପୂର୍ବରୁ ସ୍ପଷ୍ଟ କରିଛି ଯେ ଅସ୍ତ୍ରବିରତି ଦୁଇ ଦେଶର ଆଲୋଚନାର ଫଳ, ଏଥିରେ କୌଣସି ତୃତୀୟ ପକ୍ଷର ଭୂମିକା ନଥିଲା।
ଟ୍ରମ୍ପ୍ ତାଙ୍କ ଭାଷଣରେ ୟୁକ୍ରେନ-ରୁଷିଆ ସଂଘର୍ଷ, ଗାଜାର ପରିସ୍ଥିତି ଏବଂ ଇରାନରେ ଆମେରିକା ଆକ୍ରମଣ ନେଇ ମଧ୍ୟ ଆଲୋଚନା କରିଥିଲେ। ସେ କହିଲେ, ୟୁକ୍ରେନ ଯୁଦ୍ଧକୁ ସମାଧାନ କରିବା ସହଜ ହେବ କାରଣ ପୁଟିନଙ୍କ ସହ ସେ ସଦା ସୁଭିଦାରେ ଥିଲେ।
ଗାଜା ବିଷୟରେ ଟ୍ରମ୍ପ୍ କହିଲେ ଯେ ଯୁଦ୍ଧ ତୁରନ୍ତ ବନ୍ଦ ହେବା ଉଚିତ, ବନ୍ଧକମାନଙ୍କୁ ଫେରାଇ ଆଣିବା ଏବଂ ଶାନ୍ତି ପାଇଁ ଆଲୋଚନା ଆରମ୍ଭ କରିବା ଦରକାର।
ଇରାନ ସନ୍ଦର୍ଭରେ ସେ ଦାବି କଲେ ଯେ, “ତିନି ମାସ ପୂର୍ବରୁ ‘ଅପରେସନ୍ ମିଡନାଇଟ୍ ହାମର୍’ ରେ ବି-୨ ବୋମାବର୍ଷୀ ବିମାନ ଦ୍ୱାରା ଇରାନର ପ୍ରମୁଖ ପରମାଣୁ ପ୍ରତିଷ୍ଠାନକୁ ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଥିଲା।”
ଟ୍ରମ୍ପ୍ ଜାତିସଂଘକୁ ନିଶାନା କରି କହିଲେ, “ମୁଁ ଦୁଃଖିତ, ଜାତିସଂଘ କିଛି କରୁନାହିଁ। ସମସ୍ତେ ବୁଝିପାରୁଛନ୍ତି ଯେ, ଆଜିର ପରିସ୍ଥିତିରେ ଜାତିସଂଘର ଅସ୍ତିତ୍ୱ ପ୍ରଶ୍ନଚିହ୍ନ।”