ୱାଶିଂଟନ: ଆମେରିକାରେ ଚାଲୁଥିବା ସରକାରୀ ସଟ୍‌ଡାଉନ୍‌ ଯୋଗୁଁ ପ୍ରାୟ ୭.୫ ଲକ୍ଷ ସରକାରୀ କର୍ମଚାରୀ ଦରମା ବିନା ଘରେ ବସିବାକୁ ବାଧ୍ୟ ହେଉଛନ୍ତି। ସାମରିକ ବାହିନୀ, ପୁଲିସ, ବିମାନ ନିୟନ୍ତ୍ରଣ ଏବଂ ସୀମା ସୁରକ୍ଷା ଭଳି ଅତ୍ୟାବଶ୍ୟକ ସେବାରେ ନିଯୁକ୍ତ କର୍ମଚାରୀମାନେ ମଧ୍ୟ ଦରମା ବିନା କାମ କରୁଛନ୍ତି। ଏହା ସେମାନଙ୍କ ଆର୍ଥିକ ଅବସ୍ଥାକୁ ଆହୁରି ଅସ୍ଥିର କରିଛି।

ଅକ୍ଟୋବର ୨୦ ତାରିଖରେ ୧୧ତମ ଥର ପାଇଁ ପାଣ୍ଠି ବିଲ୍‌ ଉପରେ ଭୋଟ୍ ହେଲେମଧ୍ୟ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବ ପାସ ହୋଇପାରିଲା ନାହିଁ। ସଟ୍‌ଡାଉନ୍‌ ଓ ଦରମା ନ ମିଳିବାରୁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବିସ୍ତାରିତ ହେଉଛି। ଅନେକେ ଜୀବନ ଚାଲାଇବା ପାଇଁ ଟ୍ୟାକ୍ସି ଡ୍ରାଇଭିଂ, ଖାଦ୍ୟ ବିତରଣ ଓ ଅନ୍ୟାନ୍ୟ ଅସ୍ଥାୟୀ କାମ କରୁଛନ୍ତି।

୨୨ ଦିନ ଧରି ସଟ୍‌ଡାଉନ୍‌ ଜାରି

ଅକ୍ଟୋବର ୧ରୁ ଆରମ୍ଭ ହୋଇଥିବା ସଟ୍‌ଡାଉନ୍‌ ଏବେ ୨୨ତମ ଦିନକୁ ପହଞ୍ଚିଛି, ଯାହା ଆମେରିକା ଇତିହାସର ଦ୍ୱିତୀୟ ସବୁଠାରୁ ଦୀର୍ଘ ସରକାରୀ ବନ୍ଦ ହୋଇଛି। ସରକାର ନୂତନ ବଜେଟ୍ ପାସ କରିପାରିନଥିବାରୁ ଅନେକ ବିଭାଗର କାର୍ଯ୍ୟ ରୁକିଯାଇଛି। ଏହି ସମସ୍ୟାର ମୂଳ କାରଣ ହେଉଛି ସ୍ୱାସ୍ଥ୍ୟ ସେବା ସବସିଡିକୁ ନେଇ ଡେମୋକ୍ରାଟ୍ ଓ ରିପବ୍ଲିକାନ୍‌ ଦଳ ମଧ୍ୟରେ ତିକ୍ତତା। ଡେମୋକ୍ରାଟ୍‌ମାନେ ଏହା ବୃଦ୍ଧି କରିବାକୁ ଚାହୁଁଥିବାବେଳେ, ରିପବ୍ଲିକାନ୍‌ ଏହାକୁ ଅର୍ଥନୀତି ପାଇଁ ଜୋଖିମ ଭାବେ ଦେଖୁଛନ୍ତି।

ବିମାନ ସେବା ଅସ୍ଥିର, କର୍ମଚାରୀ ଚାପରେ

ସଟ୍‌ଡାଉନ୍‌ର ପ୍ରଭାବ ବିମାନ ସେବା ଉପରେ ଗୁରୁତର ଭାବରେ ପଡ଼ିଛି। ବିମାନ ଟ୍ରାଫିକ୍ ନିୟନ୍ତ୍ରକମାନେ ଦରମା ବିନା କାମ କରୁଛନ୍ତି ଏବଂ ଅନେକେ ଉବର ଚାଳକ କିମ୍ବା ରେଷ୍ଟୁରାଣ୍ଟରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ବିମାନ ସଂଘ NATCA ର ସଭାପତି ଜଣାଇଛନ୍ତି ଯେ ଚାପ ଓ ଆର୍ଥିକ ସଙ୍କଟ କର୍ମଚାରୀଙ୍କ ମନୋବଳକୁ ହ୍ରାସ କରୁଛି।

ସମ୍ପ୍ରତି ଗୋଟିଏ ଦିନରେ ୭,୮୦୦ ରୁ ଅଧିକ ବିମାନ ବିଳମ୍ବ ଏବଂ ୧୧୭ଟି ବିମାନ ବାତିଲ ହୋଇଥିବା ଖବର ମିଳିଛି। ବିଶେଷଜ୍ଞମାନଙ୍କ ମତାନୁସାରେ, ଏହି ସ୍ଥିତି ଜାରି ରହିଲେ ବିମାନ ସେବା ଓ ସାଧାରଣ ଲୋକଙ୍କ ସୁରକ୍ଷା ଦୁହିଁ ପ୍ରଭାବିତ ହେବ।