ନୂଆଦିଲ୍ଲୀ, ୧୭।୧: ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ସାମିଲ କରିବା ନେଇ ନିଜ ଅବସ୍ଥାନରେ ଅଟଳ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପ୍ରସଙ୍ଗରେ ଆଉ ଏକ କଠୋର ପଦକ୍ଷେପ ନେଇଛନ୍ତି। ଗ୍ରୀନଲ୍ୟାଣ୍ଡ ଅଧିଗ୍ରହଣ ଯୋଜନାକୁ ବିରୋଧ କରୁଥିବା ଦେଶମାନଙ୍କ ଉପରେ ସେ ୧୦ ପ୍ରତିଶତ ଆମଦାନୀ ଶୁଳ୍କ (ଟାରିଫ୍) ଲଗାଇବାକୁ ଘୋଷଣା କରିଛନ୍ତି।

ଶନିବାର ଡେନମାର୍କ, ବ୍ରିଟେନ ଓ ଫ୍ରାନ୍ସ ସହିତ କିଛି ଅନ୍ୟାନ୍ୟ ୟୁରୋପୀୟ ଦେଶ ଉପରେ ଏହି ଶୁଳ୍କ ଲାଗୁ କରାଯିବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। ସେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ ଜରିଆରେ ଏହି ସୂଚନା ସାର୍ବଜନୀନ କରିଛନ୍ତି। ଘୋଷଣା ଅନୁଯାୟୀ, ଆସନ୍ତା ଫେବୃଆରୀ ୧ ତାରିଖରୁ ଏହି ନୂତନ ଟାରିଫ୍ କାର୍ଯ୍ୟକାରୀ ହେବ।

ଏଥିସହ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ଯଦି ଜୁନ୍ ୧ ସୁଦ୍ଧା ଗ୍ରୀନଲ୍ୟାଣ୍ଡକୁ ଆମେରିକା ହସ୍ତାନ୍ତର କରିବା ସଂପର୍କିତ କୌଣସି ଚୁକ୍ତି ସ୍ୱାକ୍ଷରିତ ନହୁଏ, ତେବେ ଆମଦାନୀ ଶୁଳ୍କକୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଯିବ।

ଟ୍ରମ୍ପଙ୍କ ମତରେ, ପ୍ରାକୃତିକ ଓ ଖଣିଜ ସମ୍ପଦରେ ସମୃଦ୍ଧ ଗ୍ରୀନଲ୍ୟାଣ୍ଡ ଆମେରିକାର “ଜାତୀୟ ସୁରକ୍ଷା” ପାଇଁ ଅତ୍ୟନ୍ତ ଆବଶ୍ୟକ। ସେ କହିଛନ୍ତି ଯେ, ଗ୍ରୀନଲ୍ୟାଣ୍ଡ ଆମେରିକାର ନିୟନ୍ତ୍ରଣରେ ନ ଥିବା ଅବସ୍ଥା ଗ୍ରହଣଯୋଗ୍ୟ ନୁହେଁ।

ଏହି ପ୍ରସଙ୍ଗରେ ବୁଧବାର ୱାଶିଂଟନରେ ହୋଇଥିବା ଏକ ବୈଠକରେ ଡେନମାର୍କର ପ୍ରତିନିଧିମାନେ ଗ୍ରୀନଲ୍ୟାଣ୍ଡର ଭବିଷ୍ୟତକୁ ନେଇ ଆମେରିକା ସହ ସେମାନଙ୍କର “ମୌଳିକ ମତଭେଦ” ଥିବା ସ୍ପଷ୍ଟ କରିଥିଲେ। ୟୁରୋପୀୟ ନେତାମାନେ ମଧ୍ୟ କହିଛନ୍ତି ଯେ, ଗ୍ରୀନଲ୍ୟାଣ୍ଡ ସମ୍ପର୍କିତ ନିଷ୍ପତ୍ତି ନେବାର ଅଧିକାର କେବଳ ଡେନମାର୍କ ଓ ସେଠାର ଜନସାଧାରଣଙ୍କ ପାଖରେ ରହିଛି।

ଏହାର ମଧ୍ୟରେ ଡେନମାର୍କ ତାଙ୍କ ସହଯୋଗୀ ଦେଶମାନଙ୍କ ସହ ମିଶି ଗ୍ରୀନଲ୍ୟାଣ୍ଡରେ ସାମରିକ ଉପସ୍ଥିତି ବୃଦ୍ଧି କରିବାକୁ ଘୋଷଣା କରିଥିବାରୁ ଆନ୍ତର୍ଜାତୀୟ ସ୍ତରରେ ଏହି ମାମଲା ଆହୁରି ଗୁରୁତ୍ୱ ନେଇଛି।