ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷରେ ତାଙ୍କ ନୀତି, ଘୋଷଣା ଓ ଅପ୍ରତ୍ୟାଶିତ ପଦକ୍ଷେପ ନେଇ ବିଶ୍ୱ ମଞ୍ଚରେ ଅନିଶ୍ଚିତତା ଗଭୀର ହୋଇଛି। ଶୁଳ୍କ ନୀତି, ବୈଦେଶିକ ସମ୍ପର୍କ, ସୋସିଆଲ ମିଡିଆରେ ମତପ୍ରକାଶ ଓ ସୁରକ୍ଷା ସମ୍ପର୍କିତ ନିଷ୍ପତ୍ତି ମାଧ୍ୟମରେ ଟ୍ରମ୍ପ ବାରମ୍ବାର ଆନ୍ତର୍ଜାତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛନ୍ତି।

ଶୁଳ୍କକୁ ରାଜନୈତିକ ଓ କୂଟନୀତିକ ହାତିଆର ଭାବେ ବ୍ୟବହାର କରିବା ଟ୍ରମ୍ପଙ୍କ ନୀତିର ମୁଖ୍ୟ ବୈଶିଷ୍ଟ୍ୟ ହୋଇଉଠିଛି। ବିଭିନ୍ନ ଦେଶ ସହ ବ୍ୟବସାୟିକ ମତଭେଦରେ ଶୁଳ୍କ ଘୋଷଣା, ଆମଦାନି-ରପ୍ତାନି ନିୟନ୍ତ୍ରଣ ଓ ଧମକମୂଳକ ବକ୍ତବ୍ୟ ବିଶ୍ୱ ବାଣିଜ୍ୟ ଉପରେ ପ୍ରଭାବ ପକାଇଛି। ଏହାସହିତ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟ ଅନେକ ସମୟରେ ସରକାରୀ ଘୋଷଣାର ପୂର୍ବରୁ ଆସି ବିବାଦ ସୃଷ୍ଟି କରୁଛି।

ବୈଦେଶିକ ମଞ୍ଚରେ ଟ୍ରମ୍ପ ନିଜକୁ ‘ଶାନ୍ତି ପ୍ରତିଷ୍ଠାକାରୀ’ ବୋଲି ଦାବି କରୁଥିବାବେଳେ, କିଛି ଦେଶରେ ସେନା ଅଭିଯାନ ଓ କଠୋର ନୀତି ନେଇ ସମାଲୋଚନା ମଧ୍ୟ ବଢ଼ିଛି। ଭେନେଜୁଏଲା, ଇରାନ, ଗ୍ରିନଲ୍ୟାଣ୍ଡ ଓ ଇଉରୋପ ସହ ସମ୍ପର୍କକୁ ନେଇ ତାଙ୍କ ମତାମତ ଓ ପଦକ୍ଷେପ ବିଶ୍ୱ ନେତାମାନଙ୍କୁ ସତର୍କ କରିଛି।

ପ୍ରବାସୀ ନୀତି ମଧ୍ୟ ଟ୍ରମ୍ପ ପ୍ରଶାସନର ଆଉ ଏକ ବିବାଦୀୟ ମୁଦ୍ଦା ରହିଛି। ବେଆଇନ ପ୍ରବାସୀଙ୍କ ବିରୋଧରେ କଠୋର ପଦକ୍ଷେପ, ଦେଶାନ୍ତର ଓ ସହଯୋଗ ନ କରୁଥିବା ଦେଶମାନଙ୍କ ଉପରେ ଶୁଳ୍କ ଚାପ ନେଇ ଆନ୍ତର୍ଜାତିକ ସ୍ତରରେ ପ୍ରତିକ୍ରିୟା ଦେଖାଯାଇଛି। ଭାରତ ସହ କିଛି ଦେଶ ପ୍ରବାସୀ ଫେରାଇବାରେ ସହଯୋଗ କରିଥିବାବେଳେ, ଅନ୍ୟାନ୍ୟ ଦେଶ ଏହାକୁ ନେଇ ଆପତ୍ତି ଜଣାଇଛନ୍ତି।

ବ୍ୟବସାୟମୁଖୀ ଦୃଷ୍ଟିକୋଣ ଟ୍ରମ୍ପଙ୍କ ନୀତିରେ ସ୍ପଷ୍ଟ ଭାବେ ପ୍ରତିଫଳିତ। ‘କୌଣସି ସ୍ଥାୟୀ ବନ୍ଧୁତା ନୁହେଁ, କେବଳ ସ୍ୱାର୍ଥ’—ଏହି ଧାରଣା ଉପରେ ଭିତ୍ତି କରି ସେ ବିଭିନ୍ନ ଦେଶ ସହ ସମ୍ପର୍କ ଗଢ଼ୁଥିବା ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏହାର ପରିଣାମ ସ୍ୱରୂପ ବିଶ୍ୱ ରାଜନୀତିରେ ଅସ୍ଥିରତା ଓ ଅନିଶ୍ଚିତତା ବଢ଼ିଛି।

ଟ୍ରମ୍ପଙ୍କ କାର୍ଯ୍ୟଶୈଳୀ, ସୋସିଆଲ ମିଡିଆ କେନ୍ଦ୍ରିକ ରାଜନୀତି ଓ ଅପ୍ରତ୍ୟାଶିତ ନିଷ୍ପତ୍ତିଗୁଡ଼ିକ ଆଗାମୀ ଦିନରେ ବିଶ୍ୱ ରାଜନୈତିକ ମାନଚିତ୍ରକୁ କେମିତି ପ୍ରଭାବିତ କରିବ—ସେନେଇ ଆନ୍ତର୍ଜାତିକ ମଞ୍ଚରେ ଚର୍ଚ୍ଚା ଜାରି ରହିଛି।