ଲଣ୍ଡନ: ବ୍ରିଟେନରେ ସମ୍ପର୍କୀୟ ଭାଇଭଉଣୀଙ୍କ ମଧ୍ୟରେ ବିବାହକୁ ନେଇ ବିବାଦ ଉତ୍ପନ୍ନ ହୋଇଛି। ଜାତୀୟ ସ୍ୱାସ୍ଥ୍ୟ ସେବା (ଏନଏଚଏସ) ଏକ ପ୍ରକାଶନରେ ଏପରି ବିବାହକୁ ସାଧାରଣ ବିପଦ ସହିତ ତୁଳନା କରିଥିବାରୁ ଏହା ନିୟେ ମତଭେଦ ଦେଖାଦେଇଛି।
ବ୍ରିଟେନର ଆଇନ ଅନୁଯାୟୀ, ସ୍ୱଜନୀୟ (siblings) ବିବାହ ନିଷିଦ୍ଧ, କିନ୍ତୁ ସମ୍ପର୍କୀୟ (cousins) ବିବାହ ବୈଧ। ୧୬ଶତାବ୍ଦୀରେ ରାଜା ହେନରୀ ଅଷ୍ଟମଙ୍କ ଦ୍ୱାରା ଆଇନ ପରିବର୍ତ୍ତନ ପରେ ଏହି ପ୍ରଥାକୁ ଆଇନଗତ ସ୍ଥାନ ମିଳିଥିଲା।
ତଥାପି, ଅନେକ ଗବେଷଣାରେ ସ୍ପଷ୍ଟ ହୋଇଛି ଯେ, ଏପରି ବିବାହରୁ ଜନ୍ମିତ ଶିଶୁମାନଙ୍କରେ ଜନ୍ମଗତ ରୋଗ, ଭାଷା-କଥା ସମସ୍ୟା ଏବଂ ବିକାଶରେ ପ୍ରଭାବ ପଡ଼ିପାରେ। “ବର୍ଣ୍ଣ ଇନ୍ ବ୍ରାଡଫୋର୍ଡ” ୨୦୨୪ ରିପୋର୍ଟ ଅନୁଯାୟୀ, ସମ୍ପର୍କୀୟ ବିବାହରୁ ଜନ୍ମିତ ପିଲାମାନଙ୍କ ୬% ରିସେସିଭ୍ ଡିସଅର୍ଡରର ସମ୍ଭାବନାରେ ରହନ୍ତି, ଯେଉଁଠି ସାଧାରଣ ହାର ୩%।
କଞ୍ଜରଭେଟିଭ୍ ସାଂସଦ ରିଚାର୍ଡ ହୋଲ୍ଡେନ, ଏପରି ବିବାହକୁ ନିଷିଦ୍ଧ କରିବା ପାଇଁ ବିଲ୍ ଆଣିଛନ୍ତି। ସେ କହିଛନ୍ତି, “ଏହା ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ଏବଂ ସରକାରକୁ ଏହାକୁ ରୋକିବା ଉଚିତ।”
ଅନ୍ୟପଟେ, ଏନଏଚଏସ ଗବେଷଣାରେ କୁହାଯାଇଛି ଯେ, ସମ୍ପର୍କୀୟ ବିବାହ କେତେକ ପରିସ୍ଥିତିରେ ପରିବାରୀକ ସମର୍ଥନ ବ୍ୟବସ୍ଥା ଏବଂ ଆର୍ଥିକ ଲାଭ ମଧ୍ୟ ଦେଇପାରେ। କିନ୍ତୁ, ସମାଲୋଚକମାନେ ଏହାକୁ ସ୍ୱାସ୍ଥ୍ୟ ସଚେତନତାକୁ ଦୁର୍ବଳ କରୁଥିବା ବୋଲି ଆପତ୍ତି କରିଛନ୍ତି।
ସାମାଜିକ କର୍ମୀ ଆୟଶା ଅଲି-ଖାନ କହିଛନ୍ତି, ତାଙ୍କର ତିନିଭାଇ ସମ୍ପର୍କୀୟ ବିବାହର କାରଣରୁ ସ୍ୱାସ୍ଥ୍ୟ ସମସ୍ୟାରେ ମୃତ୍ୟୁ ହୋଇଥିଲା। ସେ ଚାହୁଁଛନ୍ତି ଯେ, “ଅନ୍ୟ ପରିବାର ମୋ ପରି ଦୁଃଖ ଭୋଗନ୍ତୁ ନାହିଁ।”