ଲସ୍ ଆଞ୍ଜେଲସ୍, ୧୯।୨: ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଛୋଟପିଲା ଓ କିଶୋରମାନଙ୍କ ଉପରେ କେତେଦୂର ପ୍ରଭାବ ପକାଉଛି, ଏହାକୁ କେନ୍ଦ୍ର କରି ଆମେରିକାର ଲସ୍ ଆଞ୍ଜେଲସ୍‌ରେ ଚାଲିଥିବା ଏକ ଐତିହାସିକ ଶୁଣାଣିରେ Mark Zuckerbergଙ୍କୁ କଡ଼ା ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଛି।

Meta Platformsର ମୁଖ୍ୟ ଜୁକରବର୍ଗଙ୍କୁ ପଚରାଯାଇଛି ଯେ, ତାଙ୍କ କମ୍ପାନିର ପ୍ଲାଟଫର୍ମଗୁଡ଼ିକ ଉଦ୍ଦେଶ୍ୟପୂର୍ବକ ଭାବେ ନାବାଳକମାନଙ୍କୁ ନିଶାଗ୍ରସ୍ତ କରୁଛି କି ନାହିଁ। ଶୁଣାଣିରେ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ସୋସିଆଲ୍ ମିଡିଆର ପ୍ରଭାବକୁ ଗଭୀରତାର ସହ ଖତିଆନ କରାଯାଉଛି।

କୋର୍ଟରେ ଜୁକରବର୍ଗ କହିଛନ୍ତି ଯେ, କମ୍ପାନି ନାବାଳକ ବ୍ୟବହାରକାରୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରଯୁକ୍ତି ଉନ୍ନତ କରିଛି। ସେ ଦାବି କରିଥିଲେ ଯେ, ଅନେକ ସମୟରେ ବ୍ୟବହାରକାରୀମାନେ ଆକାଉଣ୍ଟ ଖୋଲିବା ସମୟରେ ନିଜ ବୟସ ସମ୍ପର୍କରେ ଭୁଲ୍ ସୂଚନା ଦେଇଥାନ୍ତି। ଯେମାନଙ୍କୁ କମ୍ପାନି ନାବାଳକ ବୋଲି ଚିହ୍ନଟ କରେ, ସେମାନଙ୍କ ଆକାଉଣ୍ଟ ହଟାଯାଏ ବୋଲି ସେ କହିଥିଲେ। ବୟସ ଯାଞ୍ଚ ପ୍ରଣାଳୀ ନେଇ ପଚରାଯିବାରେ ସେ କହିଥିଲେ, “ଏହାକୁ ଏତେ ଜଟିଳ କରାଯାଉଛି କାହିଁକି, ମୁଁ ବୁଝିପାରୁନାହିଁ।”

ମାନସିକ ସ୍ୱାସ୍ଥ୍ୟ ନେଇ ମାମଲା

ଏହି ମାମଲାରେ ଏକ ଜୁରି ନିଷ୍ପତ୍ତି ନେବେ ଯେ, Meta Platforms ଏବଂ YouTube କାଲିଫର୍ନିଆର ୨୦ ବର୍ଷୀୟା ବାସିନ୍ଦା କେଲି ଜି.ଏମ୍.ଙ୍କ ମାନସିକ ସମସ୍ୟା ପାଇଁ ଦାୟୀ କି ନୁହେଁ। କେଲି ଛୋଟବେଳୁ ସୋସିଆଲ୍ ମିଡିଆ ବ୍ୟବହାର କରୁଥିଲେ। ସେ ଛଅ ବର୍ଷ ବୟସରେ ୟୁଟ୍ୟୁବ୍, ନଅ ବର୍ଷରେ ଇନଷ୍ଟାଗ୍ରାମ୍ ଏବଂ ପରବର୍ତ୍ତୀକାଳରେ ଟିକ୍‌ଟକ୍ ଓ ସ୍ନାପଚ୍ୟାଟ୍ ବ୍ୟବହାର ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ମାନସିକ ସମସ୍ୟା ସମ୍ମୁଖୀନ ହେଉଥିବା ଅଭିଯୋଗ ରହିଛି।

ଶୁଣାଣି ସମୟରେ କୋର୍ଟରେ ଉପସ୍ଥାପିତ ଏକ ଆଭ୍ୟନ୍ତରୀଣ ଡକ୍ୟୁମେଣ୍ଟ ଅନୁସାରେ, ୨୦୧୫ ମସିହାରେ ୧୩ ବର୍ଷରୁ କମ୍ ବୟସର ପ୍ରାୟ ୪ ମିଲିଅନ୍ ବ୍ୟବହାରକାରୀ ଇନଷ୍ଟାଗ୍ରାମ୍‌ରେ ଥିଲେ। ଏକ ଆକଳନ ଅନୁଯାୟୀ, ଆମେରିକାରେ ୧୦ ରୁ ୧୨ ବର୍ଷ ବୟସର ପ୍ରାୟ ୩୦ ପ୍ରତିଶତ ପିଲା ଇନଷ୍ଟାଗ୍ରାମ୍ ବ୍ୟବହାର କରୁଥିଲେ।

ଏହି ଶୁଣାଣି ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ, ଏହାର ରାୟ ସୋସିଆଲ୍ ମିଡିଆ ନୀତି ଓ ପିଲାମାନଙ୍କ ଡିଜିଟାଲ୍ ସୁରକ୍ଷା ଉପରେ ଦୂରଗାମୀ ପ୍ରଭାବ ପକାଇପାରେ ବୋଲି ମନ୍ତବ୍ୟ କରାଯାଉଛି।