ନୂଆଦିଲ୍ଲୀ/ୱାଶିଂଟନ୍: ଆମେରିକାରେ ଡାକ ନେଟୱାର୍କ୍ ଭାରି ଅସୁବିଧାରେ ପଡ଼ିଛି। ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ଛୋଟ ପାର୍ସଲ ଉପରେ ଟିକସ୍ ଛାଡ଼ ବିଲୁପ୍ତ କରିବା ପରେ, ଆମେରିକାକୁ ଆନ୍ତର୍ଜାତୀୟ ଡାକ ସେବା ୮୦%ରୁ ଅଧିକ ହ୍ରାସ ପାଇଛି। ୮୮ଟି ଦେଶର ପୋଷ୍ଟାଲ୍ ବିଭାଗ ସେମାନଙ୍କର ସେବାକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଛନ୍ତି।
ଜର୍ମାନୀର ଡାଉଚେ ପୋଷ୍ଟ, ବ୍ରିଟେନର ରୟାଲ୍ ମେଲ୍, ବୋସନିଆ-ହର୍ଜେଗୋଭିନା ସହ ଭାରତ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ଇଟାଲୀ, ଜାପାନଭଳି ଦେଶମାନେ ଆମେରିକାକୁ ପାର୍ସଲ ପଠାଣାକୁ ପ୍ରାୟ ପୂର୍ଣ୍ଣରୁପେ ବନ୍ଦ କରିଦେଇଛନ୍ତି।
ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିଅନ୍ (ୟୁପିୟୁ) ତଥ୍ୟ ଅନୁଯାୟୀ, ଅଗଷ୍ଟ ୨୯ରୁ କେବଳ ଗୋଟିଏ ସପ୍ତାହରେ ଆମେରିକାକୁ ଯାଉଥିବା ପୋଷ୍ଟାଲ୍ ଟ୍ରାଫିକ୍ ୮୧% କମିଗଲା।
ୟୁପିୟୁ ମହାନିର୍ଦ୍ଦେଶକ ମାସାହିକୋ ମେଟୋକି କହିଛନ୍ତି ଯେ, ସେମାନେ ବୈଷୟିକ ସମାଧାନ ଖୋଜୁଛନ୍ତି ଯାହା ଦ୍ୱାରା ସେବାକୁ ପୁଣି ସ୍ୱାଭାବିକ କରାଯାଇପାରିବ। କିନ୍ତୁ, ସେ କେବେ ସେବା ପୁନରୁଦ୍ଧାର ହେବ ତାହା କହିନାହାନ୍ତି।
ସ୍ୱିଜରଲ୍ୟାଣ୍ଡର ବର୍ନ୍ ଭିତ୍ତିକ ୟୁପିୟୁ ୧୮୭୪ରେ ସ୍ଥାପିତ ହୋଇଥିଲା ଏବଂ ବର୍ତ୍ତମାନ ୧୯୨ଟି ସଦସ୍ୟ ଦେଶ ରହିଛି। ଏହା ଆନ୍ତର୍ଜାତୀୟ ଡାକ ସେବା ପାଇଁ ନିୟମ ନିର୍ଦ୍ଧାରଣ ସହିତ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସହଯୋଗ ଓ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ କାମ କରେ।