ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଆରମ୍ଭ କରିଥିବା ଶୁଳ୍କ ଯୁଦ୍ଧ ବର୍ତ୍ତମାନ ଏସୀୟ ଦେଶଗୁଡ଼ିକ ସହିତ ସମ୍ପର୍କକୁ ଜଟିଳ କରିଦେଇଛି। ଭାରତ, ଜାପାନ ପରେ ଏବେ ଦକ୍ଷିଣ କୋରିଆ ସହିତ ମଧ୍ୟ ଆମେରିକାର ବିବାଦ ତୀବ୍ର ହୋଇଛି।

ଟ୍ରମ୍ପ୍ ପ୍ରଶାସନ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇଥିବା ବେଳେ, ଦକ୍ଷିଣ କୋରିଆର ହୁଣ୍ଡାଇ ମୋଟର୍ସ ପ୍ଲାଣ୍ଟ ଉପରେ ଆମେରିକୀୟ ଅଧିକାରୀମାନଙ୍କ ଚଢ଼ଉ ଉଭୟ ଦେଶର ସମ୍ପର୍କକୁ ଉତ୍ତେଜନାପୂର୍ଣ୍ଣ କରିଛି। ୩୦୦ରୁ ଅଧିକ କୋରିଆନ୍ ପ୍ରବାସୀଙ୍କୁ ଗିରଫ କରାଯାଇଥିବାରୁ, ସିଓଲ୍ ସରକାର କଡ଼ା ପ୍ରତିକ୍ରିୟା ଦେଇଛି। ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗ ସ୍ପଷ୍ଟ କରିଛନ୍ତି ଯେ, ନାଗରିକ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।

ଜାପାନ ସହିତ ଆମେରିକା ହାଲିହେଲେ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଥିଲେମଧ୍ୟ, ୫୫୦ ବିଲିୟନ ଡଲାରର ନିବେଶକୁ ଚାପରେ ଦିଆଯାଇଥିବା ବୋଲି ବିଶେଷଜ୍ଞମାନଙ୍କ ମତ। ସୁଯୋଗ ପାଇଲେ ଜାପାନ ଏହି ଚୁକ୍ତିରୁ ପଛହଟିବ ବୋଲି ମଧ୍ୟ କୁହାଯାଉଛି।

ଟ୍ରମ୍ପ୍‌ଙ୍କ ଶୁଳ୍କ ନୀତି ଉପରେ ଆଇନିଆ ଚାଲେଞ୍ଜ ମଧ୍ୟ ଜାରି ଅଛି। ବିଦେଶୀ ପଣ୍ୟରୁ ଆଦାୟ ହୋଇଥିବା ୧୫୯ ବିଲିୟନ ଡଲାର ରାଜସ୍ୱ ପୂର୍ବବର୍ଷତୁଳନାରେ ଦୁଇଗୁଣାରୁ ଅଧିକ, କିନ୍ତୁ ଏହାକୁ ବେଆଇନ ବୋଲି ବହୁ ବିଶେଷଜ୍ଞମାନେ କହିଛନ୍ତି।

ଭାରତ, ଜାପାନ ଏବଂ ଦକ୍ଷିଣ କୋରିଆ ସହିତ ତେଜିଥିବା ଏହି ବିବାଦକୁ ଦୃଷ୍ଟିରେ ରଖି, ବିଶ୍ଳେଷକମାନେ କହୁଛନ୍ତି—ଟ୍ରମ୍ପ୍ ପ୍ରଶାସନର ଅର୍ଥ କୂଟନୀତି ନିଜେ ଆମେରିକାର ବୈଦେଶିକ ନୀତିକୁ ନଷ୍ଟ କରୁଛି।