ନୂଆଦିଲ୍ଲୀ: ବଢୁଥିବା ଦରଦାମ୍‌, ଆର୍ଥିକ ଅସ୍ଥିରତା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଯୋଗୁଁ ଚାକିରି ଭବିଷ୍ୟତକୁ ନେଇ ଯୁବପିଢ଼ି ଗଭୀର ଚିନ୍ତାରେ ରହିଛି। ବିଶ୍ବ ଅର୍ଥନୈତିକ ଫୋରମ୍‌ (WEF) ପକ୍ଷରୁ ପ୍ରକାଶିତ ୟୁଥ୍‌ ପଲ୍ସ ରିପୋର୍ଟ ୨୦୨୬ ଏହି ଚିନ୍ତାଜନକ ଚିତ୍ରକୁ ସାମ୍ନାକୁ ଆଣିଛି।

ରିପୋର୍ଟ ଅନୁସାରେ, ବିଶ୍ବର ୪୮୯ଟି ସ୍ଥାନରୁ ୪,୬୦୦ ଯୁବକ-ଯୁବତୀଙ୍କୁ ନେଇ କରାଯାଇଥିବା ସର୍ବେକ୍ଷଣରେ ପ୍ରାୟ ଅଧା ଅଂଶଗ୍ରାହୀ ଦରଦାମ୍‌ ବୃଦ୍ଧି ଓ ଆର୍ଥିକ ଅସ୍ଥିରତାକୁ ନିଜ ଜୀବନର ସବୁଠୁ ବଡ଼ ଚିନ୍ତା ଭାବେ ଉଲ୍ଲେଖ କରିଛନ୍ତି। ବଢୁଥିବା ଅସମାନତାକୁ ନେଇ ମଧ୍ୟ ଯୁବପିଢ଼ି ଚିନ୍ତା ପ୍ରକାଶ କରିଛନ୍ତି।

ତଥ୍ୟ ଅନୁଯାୟୀ, ୫୧ ପ୍ରତିଶତ ଯୁବକ-ଯୁବତୀ ମୁଦ୍ରାସ୍ଫୀତି ଓ ଅସ୍ଥିରତାକୁ ପ୍ରଧାନ ସମସ୍ୟା ବୋଲି କହିଥିବା ବେଳେ, ୪୧ ପ୍ରତିଶତ ଜଳବାୟୁ ପରିବର୍ତ୍ତନକୁ ଦ୍ବିତୀୟ ସବୁଠୁ ବଡ଼ ଚିନ୍ତା ଭାବେ ଦେଖିଛନ୍ତି। ସେହିପରି, ୬୦ ପ୍ରତିଶତ ଯୁବକ-ଯୁବତୀ ନିଜ ଦକ୍ଷତା ବୃଦ୍ଧି ପାଇଁ ନିୟମିତ ଭାବେ AI ଟୁଲ୍‌ ବ୍ୟବହାର କରୁଥିବା କହିଛନ୍ତି।

ହେଲେ ଏକ ଚିନ୍ତାଜନକ ପ୍ରସଙ୍ଗ ହେଉଛି—୬୬ ପ୍ରତିଶତ ଯୁବକ-ଯୁବତୀ ମତ ପ୍ରକାଶ କରିଛନ୍ତି ଯେ AI ଆଧାରିତ ଅଟୋମେସନ୍‌ ଆସନ୍ତା ତିନି ବର୍ଷ ମଧ୍ୟରେ ନୂଆ ଚାକିରି ସୃଷ୍ଟିକୁ କମାଇ ଦେଇପାରେ। ଏହା ସହ ୫୭ ପ୍ରତିଶତ ଅଂଶଗ୍ରାହୀ ଗୁଣାତ୍ମକ ନିଯୁକ୍ତି ସୃଷ୍ଟି ଓ ଉଦ୍ୟମିତା ସୁଯୋଗରେ ସମାନତା ଆଣିବା ଉପରେ ଜୋର ଦେଇଛନ୍ତି।

ରିପୋର୍ଟ କହୁଛି, ପ୍ରତି ୧୦ ଜଣ ମଧ୍ୟରୁ ୯ ଜଣ ଯୁବକ-ଯୁବତୀ ମନେ କରୁଛନ୍ତି ଯେ ଆଗାମୀ ଦିନରେ ସବୁଠୁ ଦ୍ରୁତ ପରିବର୍ତ୍ତନ ଆଣିବାକୁ ଯାଉଥିବା ପ୍ରଯୁକ୍ତି ହେଉଛି AI। ସେମାନେ ସୁଲଭ ଓ ଗୁଣାତ୍ମକ ଶିକ୍ଷା, ସୁଲଭ ବାସଗୃହ, ଅର୍ଥପୂର୍ଣ୍ଣ ନିଯୁକ୍ତି ସୃଷ୍ଟି ଏବଂ ନୀତି ନିର୍ଣ୍ଣୟ ପ୍ରକ୍ରିୟାରେ ଯୁବପିଢ଼ିଙ୍କ ଅଧିକ ଅଂଶଗ୍ରହଣ ପାଇଁ ପରାମର୍ଶ ଦେଇଛନ୍ତି।

ସେହିପରି, ୬୧ ପ୍ରତିଶତ ଯୁବକ-ଯୁବତୀ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ଅବନତିକୁ ବିଶ୍ବର ସର୍ବାଧିକ ଗମ୍ଭୀର ସମସ୍ୟା ଭାବେ ଚିହ୍ନଟ କରିଥିବା ବେଳେ, ୪୪ ପ୍ରତିଶତ ସାମରିକ ସଂଘର୍ଷ ଏବଂ ୨୯ ପ୍ରତିଶତ ପ୍ରଶାସନିକ ବିଫଳତାକୁ ଅନ୍ୟ ମୁଖ୍ୟ ସମସ୍ୟା ବୋଲି ଉଲ୍ଲେଖ କରିଛନ୍ତି।