ନୂଆଦିଲ୍ଲୀ/ମଧ୍ୟପ୍ରାଚ୍ୟ:

ଦୀର୍ଘଦିନ ଧରି ଅଶାନ୍ତ ରହୁଥିବା ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଗୃହଯୁଦ୍ଧରେ ଆକ୍ରାନ୍ତ ୟେମେନକୁ କେନ୍ଦ୍ର କରି ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ଗଭୀର ତଣାତଣି ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ୟେମେନର ମୁକାଲ୍ଲା ବନ୍ଦରରେ ନଙ୍ଗର କରିଥିବା ୟୁଏଇର ଦୁଇଟି ଜାହାଜ ଉପରେ ସାଉଦି ବାୟୁସେନା ଏୟାରଷ୍ଟ୍ରାଇକ୍ କରିଛି। ଏହା ସହିତ ସାଉଦି ଆରବ ୟୁଏଇକୁ ୨୪ ଘଣ୍ଟା ମଧ୍ୟରେ ୟେମେନରୁ ନିଜ ସୈନିକ ଓ ସମର୍ଥିତ ବଳ ପ୍ରତ୍ୟାହାର କରିବାକୁ କଠୋର ଚେତାବନୀ ଦେଇଛି। ଏହି ଆଦେଶକୁ ଅଗ୍ରାହ୍ୟ କରାଗଲେ ପରିସ୍ଥିତି ଆହୁରି ଗୁରୁତର ହେବ ବୋଲି ସାଉଦି ଆରବ ସୂଚନା ଦେଇଛି।

ବିବାଦର ପୃଷ୍ଠଭୂମି

ସାଉଦି ଆରବର ଅଭିଯୋଗ ଅନୁସାରେ, ୟୁଏଇ ୟେମେନର ବିଚ୍ଛିନ୍ନତାବାଦୀ ଓ ବିଦ୍ରୋହୀ ଗୋଷ୍ଠୀମାନଙ୍କୁ ଅସ୍ତ୍ରଶସ୍ତ୍ର ଓ ସାମରିକ ସହାୟତା ଯୋଗାଇ ଦେଉଛି। ଗତ ତିନି ଦିନ ମଧ୍ୟରେ ସାଉଦି ବାୟୁସେନା ୟେମେନରେ ବିଦ୍ରୋହୀ ଲକ୍ଷ୍ୟବସ୍ତୁ ଉପରେ ଦୁଇଟି ବଡ଼ ପରିମାଣର ବିମାନ ଆକ୍ରମଣ କରିଥିବା ଖବର ମିଳିଛି।

ସାଉଦି ପକ୍ଷରୁ ସପ୍ଷ୍ଟ କରାଯାଇଛି ଯେ, ୟେମେନରେ ୟୁଏଇର ହସ୍ତକ୍ଷେପ ଅଞ୍ଚଳୀୟ ସ୍ଥିରତା ପାଇଁ ଗମ୍ଭୀର ହୁମକି ସୃଷ୍ଟି କରୁଛି। ଏହି ପରିପ୍ରେକ୍ଷିତରେ ୟୁଏଇକୁ ତୁରନ୍ତ ନିଜ ସାମରିକ ଅପରେସନ ବନ୍ଦ କରିବାକୁ ଚାହିଁଛି ସାଉଦି ଆରବ।

ତେବେ ସର୍ବଶେଷ ସୂଚନା ଅନୁଯାୟୀ, ୟୁଏଇ ୟେମେନରେ ନିଜର ସାମରିକ କାର୍ଯ୍ୟକଳାପ ସମାପ୍ତ କରିବା ନେଇ ଘୋଷଣା କରିଛି, ଯଦିଓ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଅଭିଶ୍ୱାସ ଅବସ୍ଥା ଏପର୍ଯ୍ୟନ୍ତ ଜାରି ରହିଛି।

ଉଲ୍ଲେଖଯୋଗ୍ୟ ଯେ, ୟେମେନରେ ଚାଲିଥିବା ଗୃହଯୁଦ୍ଧରେ ସାଉଦି ଆରବ ସେଠାକାର ସରକାରକୁ ସମର୍ଥନ କରୁଥିବା ବେଳେ, ୟୁଏଇ ବିଦ୍ରୋହୀ ଗୋଷ୍ଠୀଙ୍କ ପକ୍ଷରେ ରହିଛି। ବିଦ୍ରୋହୀଙ୍କୁ ଅସ୍ତ୍ର ପଠାଯାଉଥିବା ଅଭିଯୋଗରେ ସାଉଦି ଆରବ ୟୁଏଇ ସମ୍ପୃକ୍ତ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କରିଥିବା କୁହାଯାଉଛି। ଏହି ଘଟଣା ପରେ ସମଗ୍ର ମଧ୍ୟପ୍ରାଚ୍ୟରେ ଭୌଗୋଳିକ ରାଜନୈତିକ ଉତ୍ତେଜନା ବଢ଼ିବାର ଆଶଙ୍କା ବ୍ୟକ୍ତ କରାଯାଉଛି।