ଭୁବନେଶ୍ୱର, ୧୮।୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରୁ ରାଜ୍ୟ ପାଇଁ ପୁଞ୍ଜିନିବେଶର ଉତ୍ସାହଜନକ ସଙ୍କେତ ମିଳିଛି। ପ୍ରଥମ ଦିନରେ ଓଡ଼ିଶା ପାଇଁ ପ୍ରାୟ ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିବା ବେଳେ, ଏହା ମାଧ୍ୟମରେ ପ୍ରାୟ ୭,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

ପ୍ରଥମ ଦିନରେ ସରକାର ଓ ଶିଳ୍ପ ସଂସ୍ଥାମାନଙ୍କ ମଧ୍ୟରେ ୭ଟି ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି, ଯାହାରେ ୧୯,୨୦୦ କୋଟି ଟଙ୍କାର ନିବେଶ ସାମିଲ ରହିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ପ୍ରାୟ ୧୨,୭୦୦ ଲୋକଙ୍କୁ କର୍ମସଂସ୍ଥାନ ମିଳିବ ବୋଲି ଆଶା କରାଯାଉଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏହି ରୋଡ୍‌ ଶୋ’ରେ ଯୋଗଦେଇ ପ୍ରମୁଖ ଶିଳ୍ପ ଗୋଷ୍ଠୀର ମୁଖ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଫାର୍ମାସ୍ୟୁଟିକାଲ୍ସ ଓ ମେଡିକାଲ ଉପକରଣ, ଗ୍ରୀନ ଏନର୍ଜି, ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ଅଟୋମୋବାଇଲ୍ ପାର୍ଟସ୍ ଓ ଇଞ୍ଜିନିୟରିଂ ସାମଗ୍ରୀ ଭଳି କ୍ଷେତ୍ରର ଶିଳ୍ପପତିମାନଙ୍କ ସହ ଓ୍ବାନ୍-ଟୁ-ଓ୍ବାନ୍‌ ବୈଠକ କରିଛନ୍ତି।

ଏହି ସମ୍ମିଳନୀରେ ସରକାର ଓ ଶିଳ୍ପ ସଂସ୍ଥାମାନଙ୍କ ମଧ୍ୟରେ ୧୫ଟି ଗୁରୁତ୍ୱପୂର୍ଣ୍ଣ G2B ବୈଠକ ଅନୁଷ୍ଠିତ ହୋଇଛି। ଇଣ୍ଡୋରାମା ଇଣ୍ଡଷ୍ଟ୍ରିଜ୍, ଜିନ୍ଦଲ ପଲି ଫିଲ୍ମସ୍, ଏବିଆଇ ସୋୱାଟେକ୍ ଏବଂ ମାରୁତି ସୁଜୁକି ଭଳି ପ୍ରମୁଖ କମ୍ପାନୀଗୁଡ଼ିକ ଏଥିରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପପତିମାନଙ୍କର ଏହି ଉତ୍ସାହଜନକ ପ୍ରତିକ୍ରିୟା ଓଡ଼ିଶାର ଶିଳ୍ପ-ମୂଖୀ ନୀତି ଏବଂ ନିବେଶକ-ମିତ୍ର ପରିବେଶ ଉପରେ ବଢ଼ୁଥିବା ବିଶ୍ୱାସକୁ ପ୍ରତିଫଳିତ କରୁଛି। ରାଜ୍ୟରେ ନୂତନ ଫାର୍ମାସ୍ୟୁଟିକାଲ୍ ନୀତି ଓ ସୁଦୃଢ଼ ଅବକାଠାମୋ ମାଧ୍ୟମରେ ନିବେଶକଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।

ଶୁକ୍ରବାର ମଧ୍ୟ ଏହି ନିବେଶକ ସମ୍ମିଳନୀ ଜାରି ରହିବ ଏବଂ ଆହୁରି ଅନେକ ବଡ଼ ନିବେଶ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି।