କଟକ: ଐତିହାସିକ କଟକ ବାଲିଯାତ୍ରାର ଅବଧି ଆଉ ଦୁଇ ଦିନ ବୃଦ୍ଧି କରିବା ପାଇଁ କଟକ ମହାନଗର ନିଗମ (CMC) ମେୟର ସୁବାସ ଚନ୍ଦ୍ର ସିଂହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଚଳିତ ବର୍ଷ ଡିସେମ୍ବର ୧ ତାରିଖରେ ବାଲିଯାତ୍ରା ଶେଷ ହେବାକୁ ସ୍ଥିର ହୋଇଥିବା ବେଳେ ଏହାକୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ମେୟର ନିଜ ପତ୍ରରେ ଦାବି ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମେୟର ସୁବାସ ସିଂହ ଉଲ୍ଲେଖ କରିଛନ୍ତି ଯେ, କଟକର ଐତିହାସିକ ବାଲିଯାତ୍ରା ଓଡ଼ିଶାର ଗର୍ବ ଓ ଗୌରବ। ଏହା ରାଜ୍ୟର ପ୍ରାଚୀନ ନୌବାଣିଜ୍ୟ, ଇତିହାସ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଚଳିତ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ବ୍ୟବସାୟୀ, କାରିଗର, ହସ୍ତଶିଳ୍ପୀ ଏବଂ ଖାଦ୍ୟ ଷ୍ଟଲ୍ ମାଲିକମାନେ ବାଲିଯାତ୍ରା ପଡ଼ିଆରେ ନିଜର ଷ୍ଟଲ୍ ଖୋଲିଛନ୍ତି। ତେବେ ବାତ୍ୟା ପ୍ରଭାବରେ ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ଚଳିତ ବର୍ଷ ବାଲିଯାତ୍ରାର ପ୍ରଥମ ଦୁଇ ଦିନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା। ବର୍ଷା କାରଣରୁ ଅନେକ ଷ୍ଟଲ୍ ଠିକ୍ ସମୟରେ ଖୋଲିପାରି ନଥିଲା ଏବଂ ଆଶା ମୁତାବକ ଦର୍ଶକ ମଧ୍ୟ ପଡ଼ିଆକୁ ଆସିପାରି ନଥିଲେ। ଫଳରେ ବ୍ୟବସାୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା ଏବଂ ବର୍ଷା ଛାଡ଼ିବା ପରେ ହିଁ ସ୍ୱାଭାବିକ ବେପାର ଆରମ୍ଭ ହୋଇଥିଲା।

ମେୟର ଆହୁରି ଦର୍ଶାଇଛନ୍ତି ଯେ, ବହୁ ଦୂରଦୂରାନ୍ତରୁ ଆସିଥିବା ବ୍ୟବସାୟୀ, କାରିଗର ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ମହିଳା ସଦସ୍ୟମାନେ ନିଜର ପୁଞ୍ଜି ନିବେଶ କରି ଭଲ ବ୍ୟବସାୟ ଆଶାରେ ଏଠାକୁ ଆସିଛନ୍ତି। କିନ୍ତୁ ପ୍ରାରମ୍ଭିକ ଦିନଗୁଡ଼ିକରେ ବର୍ଷା ଯୋଗୁଁ ସେମାନଙ୍କର ବିକ୍ରି ଓ ଆଶାନୁରୂପ ଆୟ ପ୍ରଭାବିତ ହୋଇଛି, ଯାହା ସେମାନଙ୍କୁ ଆର୍ଥିକ କ୍ଷତିରେ ପକାଇବା ସହ ସେମାନଙ୍କ ଜୀବିକାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ମେୟର କହିଛନ୍ତି ଯେ, ଯଦି ବାଲିଯାତ୍ରାର ଅବଧି ଆଉ ଦୁଇ ଦିନ ବୃଦ୍ଧି କରାଯାଏ, ତେବେ କ୍ଷୁଦ୍ର ବ୍ୟବସାୟୀ, କାରିଗର ଏବଂ ଏସ୍‌ଏଚ୍‌ଜି ସଦସ୍ୟାମାନେ ନିଜର କ୍ଷତି ଭରଣା କରିବାକୁ ଆଉ ଦୁଇ ଦିନ ବ୍ୟବସାୟ କରିବାର ସୁଯୋଗ ପାଇପାରିବେ। ତେଣୁ ବ୍ୟବସାୟୀ ଓ କାରିଗରମାନଙ୍କ ବୃହତ୍ତର ସ୍ୱାର୍ଥକୁ ବିଚାରକୁ ନେଇ ବାଲିଯାତ୍ରାକୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାର ଆବଶ୍ୟକ ଅନୁମତି ପ୍ରଦାନ କରନ୍ତୁ ବୋଲି ମେୟର ଅନୁରୋଧ କରିଛନ୍ତି।