ନୂଆଦିଲ୍ଲୀ: Employees’ Provident Fund Organisation (ଇପିଏଫ୍ଓ)ରେ ଦୀର୍ଘଦିନ ଧରି ଅଚଳ ରହିଥିବା ଖାତାଗୁଡ଼ିକର ଅବଶିଷ୍ଟ ରାଶି ସଦସ୍ୟ ଓ ତାଙ୍କ ଉତ୍ତରାଧିକାରୀଙ୍କୁ ଫେରାଇବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛି। Ministry of Labour and Employment ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରାୟ ୩୧ ଲକ୍ଷରୁ ଅଧିକ ଖାତାଧାରୀ ଏଥିରୁ ଲାଭାନ୍ବିତ ହେବେ ବୋଲି ଶ୍ରମମନ୍ତ୍ରୀ Mansukh Mandaviya ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବେଠକରେ ନିଷ୍କ୍ରିୟ ଖାତାର ଟଙ୍କା ଫେରସ୍ତ ପାଇଁ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଠିକ୍ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭ ଲକ୍ଷ ଖାତାକୁ ନେଇ ପରୀକ୍ଷାମୂଳକ ଭାବେ ରାଶି ଫେରତ ଦିଆଯିବ। ଯେଉଁ ଖାତାଗୁଡ଼ିକରେ ଆଧାର ସହ ଲିଙ୍କ୍ ହୋଇଥିବା ବ୍ୟାଙ୍କ ବିବରଣୀ ଉପଲବ୍ଧ ଅଛି, ସେଠାରେ ସିଧାସଳଖ ଟଙ୍କା ଜମା କରାଯିବ।
ଇପିଏଫ୍ଓରେ ବର୍ତ୍ତମାନ ୩୧.୮୬ ଲକ୍ଷ ନିଷ୍କ୍ରିୟ ଖାତାରେ ପ୍ରାୟ ୧୦,୯୦୩ କୋଟି ଟଙ୍କା ଅବଶିଷ୍ଟ ରହିଛି। ସେଥିରୁ ୭ ଲକ୍ଷ ୧୧ ହଜାର ଖାତାରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ରହିଥିବା ଜଣାପଡ଼ିଛି, ଯାହାର ମୋଟ ରାଶି ୩୦.୫୨ କୋଟି ଟଙ୍କା। ଅଧିକାଂଶ ଖାତା ୨୦ ବର୍ଷ ପୁରୁଣା ଏବଂ ଗତ ତିନି ବର୍ଷରେ କୌଣସି ଲେନଦେନ ନ ହେବାରୁ ସେଗୁଡ଼ିକୁ ଅଚଳ ଶ୍ରେଣୀରେ ରଖାଯାଇଛି।
ବର୍ତ୍ତମାନ ବ୍ୟବସ୍ଥା ଅନୁଯାୟୀ, ରାଶି ପାଇବାକୁ ହିତାଧିକାରୀଙ୍କୁ ଦାବି ଦାଖଲ କରିବାକୁ ପଡ଼େ। କିନ୍ତୁ କାଗଜପତ୍ର ସମ୍ପର୍କିତ ଜଟିଳତାର କାରଣରୁ ଅନେକ ସଦସ୍ୟ ଦାବି ଦାଖଲ କରୁନଥିବା ଦେଖାଯାଇଛି। ନୂତନ ପ୍ରକ୍ରିୟା ଏହି ସମସ୍ୟାକୁ କମାଇବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।
ଏହା ସହିତ ଶ୍ରମ ମନ୍ତ୍ରଣାଳୟ ଅଣସଂଗଠିତ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଶିକ୍ଷା ସହାୟତା ଯୋଜନାରେ ସଂଶୋଧନ କରିବାକୁ ଘୋଷଣା କରିଛି। ଯୋଗ୍ୟତା ଆଧାରିତ ଛାତ୍ରବୃତ୍ତି ଭାବେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯିବ। ୨୦୨୪-୨୫ ଅର୍ଥବର୍ଷରେ ୯୨,୧୧୮ ହିତାଧିକାରୀଙ୍କୁ ୩୧.୬୫ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ସରକାରୀ ସୂଚନାରେ ଉଲ୍ଲେଖ ଅଛି।





