ନୂଆଦିଲ୍ଲୀ, ୨୩ା୨ : ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜଧାନୀ କ୍ଷେତ୍ରରୁ କୋଇଲା ଚାଳିତ କାରଖାନା ବାହାରକୁ ସ୍ଥାନାନ୍ତର କରିବା ନେଇ କେନ୍ଦ୍ର ସରକାରଙ୍କୁ ରାୟ ମାଗିଛନ୍ତି। ଏଥିସହିତ ଦିଲ୍ଲୀରୁ ୩୦୦ କିମି ଭିତରେ ନୂଆ କୋଇଲା ଆଧାରିତ କାରଖାନା ନ ଖୋଲିବା ସମ୍ବନ୍ଧିତ ପ୍ରସ୍ତାବ ଉପରେ ମଧ୍ୟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଜବାବ ମାଗିଛନ୍ତି। ଏହି ଶିଳ୍ପକୁ ଧିରେ ଧିରେ ବନ୍ଦ ପାଇଁ ଯୋଜନା କରିବାକୁ କେନ୍ଦ୍ର ଶକ୍ତି ମନ୍ତ୍ରାଳୟକୁ କହିଛନ୍ତି। ଉତ୍ତର ପ୍ରଦେଶ, ହରିୟାଣା ଏବଂ ରାଜସ୍ଥାନ ସରକାରଙ୍କୁ ଏ ନେଇ ସାର୍ବଜନୀନ ନୋଟିସ ଜାରି କରି ରାୟ ମାଗିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣ ଏବଂ ଭଙ୍ଗାରୁଜା କାମରୁ ଉଡୁଥିବା ଧୂଳିକୁ କେମିତି ରୋକାଯିବ ତା ଉପରେ ସବୁ ପକ୍ଷକୁ ମାର୍ଚ୍ଚ ୧୨ ପୂର୍ବରୁ ପ୍ରସ୍ତାବ ଦେବାକୁ କହିଛନ୍ତି। ବାୟୁ ଗୁଣବତ୍ତା ପରିଚାଳନା କର୍ତ୍ତୃପକ୍ଷ (ସିଏକ୍ୟୁଏମ)ଙ୍କ ରିପୋର୍ଟ ଆଧାରରେ ଏହି ଦିନ ଗାଡ଼ିରୁ ବାହାରୁଥିବା ପ୍ରଦୂଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯାଞ୍ଚ କରିବେ।
ୟୁନୁସ ଦେଶକୁ ଅସ୍ଥିର କରିବାକୁ ଚାହୁଥିଲେ: ବାଂଲା ରାଷ୍ଟ୍ରପତି
ଢାକା, ୨୩ା୨ (ଏଜେନ୍ସି): ବାଂଲାଦେଶ ଅନ୍ତରୀଣ ସରକାରର ପୂର୍ବତନ ମୁଖିଆ ମହମ୍ମଦ ୟୁନୁସଙ୍କ ବିରୋଧରେ ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ୨୦୨୪ ଅଗଷ୍ଟରେ ଶେଖ ହସିନାଙ୍କ ସରକାର ଭୁଶୁଡ଼ିବା ପରେ ଅନ୍ତରୀଣ ସରକାର ତାଙ୍କୁ ହଟାଇବାକୁ ଷଡ଼ଯନ୍ତ୍ର କରିଥିଲେ ବୋଲି କହିଛନ୍ତି। ଏକ ସାକ୍ଷାତକାରରେ ଶାହବୁଦ୍ଦିନ କହିଥିଲେ ଯେ ୨୦୨୪ ଅଗଷ୍ଟ ୮ରେ ସେ ୟୁନୁସଙ୍କୁ ଶପଥପାଠ କରାଇ ଥିଲେ। ସେ ଗତ ୧୬ ତାରିଖ ପର୍ଯ୍ୟନ୍ତ ପ୍ରକୃତ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ଦେଶକୁ ଅସ୍ଥିର କରିବାକୁ ଏବଂ ସାମ୍ବିଧାନିକ ଶୂନ୍ୟସ୍ଥାନ ସୃଷ୍ଟି ପାଇଁ ପ୍ରୟାସ କରିଥିଲେ। ସରକାର ଦୁଇ ଥର ତାଙ୍କ ବିଦେଶ ଗସ୍ତକୁ ରଦ୍ଦ କରିଦେଇଥିଲେ। ମୋ ସହ କୌଣସି ଆଲୋଚନା ମଧ୍ୟ କରୁ ନ ଥିଲେ। ଦେଶର ଆଇନ ଶୃଙ୍ଖଳା ଏବଂ ଶାନ୍ତିଙ୍କୁ ଭଙ୍ଗ କରିଥିଲେ।

ଦିଲ୍ଲୀ ହାଇକୋର୍ଟଙ୍କ ଟିପ୍ପଣୀ
ବେରୋଜଗାର ପତ୍ନୀ ଅଳସୁଆ ନୁହଁନ୍ତି
ସେ ବି କାର୍ଯ୍ୟରତ; ଅଣଦେଖା କରିବା ଅନ୍ୟାୟ
ଗୃହିଣୀଙ୍କ ପାଇଁ ସ୍ବାମୀ ଠିକ୍‌ରେ କାମ କରିପାରୁଛନ୍ତି
ନୂଆଦିଲ୍ଲୀ, ୨୩ା୨ (ଏଜେନ୍ସି): ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭରଣପୋଷଣ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ବେରୋଜଗାର ପତ୍ନୀ ଅଳସୁଆ ନୁହଁନ୍ତି ବୋଲି ଜଷ୍ଟିସ ସ୍ବର୍ଣ୍ଣା କାନ୍ତ ଶର୍ମା କହିଛନ୍ତି। ବ୍ୟାଙ୍କ ଖାତାରେ ପତ୍ନୀଙ୍କୁ ଦେଖିବାକୁ ନ ମିଳିଲେ ବି ସେ ଘର ସମ୍ଭାଳିବା, ଶିଶୁଙ୍କ ଦେଖାଶୁଣା ଏବଂ ପରିବାରକୁ ସହାୟତା କରିଥାଆନ୍ତି। ସେ ବେରୋଜଗାର ନୁହଁନ୍ତି, ବରଂ କାର୍ଯ୍ୟରତ। ଏଭଳି ପତ୍ନୀଙ୍କ ପାଇଁ ପତି ଭଲ ଭାବେ ତଥା ଅଚିନ୍ତାରେ ରୋଜଗାର କରିପାରନ୍ତି। ତେଣୁ ଭରଣପୋଷଣ ଭତ୍ତା ଦାର୍ଯ୍ୟ କରିବା ସମୟରେ ପତ୍ନୀଙ୍କ ଯୋଗଦାନକୁ ଅଣଦେଖା କରିବା ଅନ୍ୟାୟ ବୋଲି ବିଚାରପତି କହିଛନ୍ତି। ଗତ ୧୬ ତାରିଖରେ ହାଇକୋର୍ଟ ଦେଇଥିବା ଏହି ରାୟରେ କହିଥିଲେ ଯେ ଘରୋଇ କାର୍ଯ୍ୟର ବି ଆର୍ଥିକ ମହତ୍ତ୍ବ ରହିଛି। ଜଣେ ଗୃହିଣୀ ଖାଲିଟାରେ ବସି ରୁହନ୍ତି ନାହିଁ। ସେ ଜାଣିଶୁଣି ସ୍ବାମୀଙ୍କ ଉପରେ ନିର୍ଭରଶୀଳ ବୋଲି କୁହାଯାଇପାରିବ ନାହିଁ। ସେ ଏଭଳି କାମ କରନ୍ତି ଯାହା ଦ୍ବାରା ପତି ସଠିକ ଭାବେ କାର୍ଯ୍ୟ କରିପାରନ୍ତି। ସେ ଖାଲି ବସିଥିବା ଚିନ୍ତା କରିବା ମାନେ ଘରର କାମକୁ ଅଣଦେଖା ସହ ସମାନ। ସାଧାରଣତଃ ଭାରତୀୟ ସମାଜରେ ବିବାହ ପରେ ସ୍ତ୍ରୀ ଚାକିରି ଛାଡ଼ିଦେବେ ବୋଲି ଆଶା କରାଯାଇଥାଏ। ମାତ୍ର ପରେ ଏହି କଥାକୁ ନେଇ ସ୍ବାମୀ ତାଙ୍କୁ ଭରଣପୋଷଣ ଦେବାରୁ ଦୂରେଇ ରୁହନ୍ତି। ଏଭଳି ଦଲିଲକୁ ପ୍ରୋତ୍ସାହନ ଦିଆ ନ ଯିବା ଉଚିତ।
ଏହି ମାମଲା ୨୦୧୨ରେ ହୋଇଥିବା ବିବାହ ସହ ଜଡ଼ିତ। ୨୦୨୦ରେ ସ୍ବାମୀ ତାଙ୍କୁ ଏବଂ ପୁଅକୁ ଛାଡ଼ି ଦେଇଥିଲେ। ମାତ୍ର ଭରଣପୋଷଣ ଦେବାକୁ ସ୍ବାମୀ ମନା କରିଦେଇଥିଲେ। ନିମ୍ନ ଅଦାଲତଗୁଡ଼ିକ ମଧ୍ୟ କୌଣସି ଆଶ୍ବସ୍ତି ଦେଇ ନ ଥିଲେ। ମାତ୍ର ଏବେ ହାଇକୋର୍ଟ ଶୁଣାଣି କରି କହିଥିଲେ ଯେ ଆୟ କରିବାର କ୍ଷମତା ଏବଂ ବାସ୍ତବିକ ଆୟ ଅଲଗା କଥା। ଏହି ଆଧାରରେ ସ୍ତ୍ରୀଙ୍କୁ ଭରଣପୋଷଣରୁ ବଞ୍ଚିତ କରାଯାଇପାରିବ ନାହିଁ। ଯେଉଁ ମହିଳା କାମ କରିବାକୁ ଚାହୁଁଛନ୍ତି ତାଙ୍କୁ ପ୍ରୋତ୍ସାହନ ଦିଆଯିବା ଉଚିତ। ସେ ରୋଜଗାର କରିବାକୁ ସକ୍ଷମ କହି ଭତ୍ତାକୁ ରୋକିହେବ ନାହିଁ। ଯିଏ ଦୀର୍ଘ ବର୍ଷ ହେଲା ପରିବାରର ଧ୍ୟାନ ରଖିଛି ସେ ଯେପରି ଅସହାୟ ହୋଇ ନଯିବେ ତାହା କୋର୍ଟ ଦେଖିବା ଉଚିତ। ତେଣୁ କୋର୍ଟ ମହିଳାଙ୍କୁ ୫୦ ହଜାର ଟଙ୍କାର ଭରଣପୋଷଣ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ମାମଲାକୁ ଆପୋସ ବୁଝାମଣାରେ ସମାଧାନ କରିବା ପାଇଁ ମଧ୍ୟ କୋର୍ଟ କହିଛନ୍ତି। କାରଣ ମାମଲା ଚାଲିଲେ ପତ୍ନୀ ବ୍ୟୟ ବଢ଼ାଇ କହିଥାନ୍ତି। ସେହିପରି ସ୍ବାମୀ ମଧ୍ୟ ନିଜ ଆୟ କମ କରି କହିଥାନ୍ତି। ଏହା ଦ୍ବାରା ସମାଧାନ କଠିନ ହୋଇଯାଏ।