ଭୁବନେଶ୍ୱର: ରାଜଧାନୀ Bhubaneswarରେ ରବିବାର ସନ୍ଧ୍ୟାରେ ହଠାତ୍ କାଳବୈଶାଖୀ ଝଡ଼-ବର୍ଷା ତାଣ୍ଡବ ରଚି ବ୍ୟାପକ କ୍ଷତି ସୃଷ୍ଟି କରିଛି। ଝଡ଼ର ପ୍ରଭାବରେ ପାତ୍ରପଡ଼ା ଆଇଗିଣିଆ ଦୁର୍ଗାମଣ୍ଡପ ନିକଟରେ ଏକ ବଡ଼ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ସନ୍ଧ୍ୟାବେଳେ ହଠାତ୍ ପାଗ ପରିବର୍ତ୍ତନ ସହ ଜୋରଦାର ପବନ ଓ ବର୍ଷା ଆରମ୍ଭ ହୋଇଥିଲା। ଝଡ଼ର ତୀବ୍ରତା ଏପରି ଥିଲା ଯେ ସହରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିଲା ଏବଂ କିଛି ବିଦ୍ୟୁତ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଥିଲା। ଏକାଧିକ ଦୋକାନ ଘର ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି।
ଜନପଥ ସହିତ ରସୁଲଗଡ଼, ପଳାଶୁଣୀ, ରାଜମହଲ ଓ କଟକ ରୋଡ଼ ଅଞ୍ଚଳରେ ରାସ୍ତା ଉପରେ ବର୍ଷାଜଳ ଜମି ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଯାତାୟତ ବ୍ୟବସ୍ଥା କିଛି ସମୟ ପାଇଁ ବିଘ୍ନିତ ହୋଇଥିଲା।
ଦୀର୍ଘ ଦିନ ପରେ ଏପରି ବର୍ଷା ହେବାରୁ ଗରମରୁ କିଛି ମାତ୍ରାରେ ରାହାତ୍ ମିଳିଥିଲା ଏବଂ ସନ୍ଧ୍ୟା ସମୟରେ ଥଣ୍ଡା ପବନ ପ୍ରବାହିତ ହେଉଥିବା ଦେଖାଯାଇଥିଲା। ତେବେ ଝଡ଼ ଯୋଗୁ ସୃଷ୍ଟି ହୋଇଥିବା କ୍ଷତିର ଆକଳନ କାମ ଜାରି ରହିଛି।





