ଶ୍ରୀନଗର: ଇରାନର ସର୍ବୋଚ୍ଚ ନେତା Ali Khameneiଙ୍କ ହତ୍ୟା ବିରୋଧରେ Jammu and Kashmirର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖାଦେଇଛି। ସୋମବାର କେତେକ ସ୍ଥାନରେ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଥିବା ସୂଚନା ମିଳିଛି।
ପ୍ରଦର୍ଶନକାରୀମାନେ କେତେକ ସ୍ଥାନରେ ସୁରକ୍ଷା ବାହିନୀଙ୍କୁ ଲକ୍ଷ୍ୟ କରି ପଥର ମାଡ଼ କରିଥିଲେ। ଏହାରେ ପାଞ୍ଚ ଜଣ ପୋଲିସ କର୍ମଚାରୀ ସହିତ ମୋଟ ୧୨ ଜଣ ଆହତ ହୋଇଥିବା ଖବର ମିଳିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଚିକିତ୍ସାଳୟକୁ ପଠାଯାଇଛି।
ପୋଲିସର କଠୋର ଚେତାବନୀ
ପରିସ୍ଥିତିକୁ ଗୁରୁତ୍ୱ ସହ ନେଇ ପୋଲିସ ପକ୍ଷରୁ ସଫା ସଫା ଚେତାବନୀ ଜାରି କରାଯାଇଛି। ପୋଲିସ କହିଛି ଯେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଲୋକତାନ୍ତ୍ରିକ ଅଧିକାର ହେଲେ ମଧ୍ୟ ଦଙ୍ଗା, ପଥର ଫିଙ୍ଗା ଓ ବେଆଇନ କାର୍ଯ୍ୟକଳାପକୁ କେବେବି ବରଦାସ୍ତ କରାଯିବ ନାହିଁ।
ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ପ୍ରରୋଚନାକାରୀ ଓ ଅପରାଧୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।
ସାଧାରଣ ଜୀବନରେ ପ୍ରଭାବ
ସୁରକ୍ଷା ବାହିନୀ ସହିତ ଘଟିଥିବା ଝଡ଼ପରେ କେତେକ ସ୍ଥାନରେ ସମ୍ପତ୍ତି କ୍ଷତି ଘଟିଥିବା ଖବର ମିଳିଛି। ଏହା ସହିତ ଶିକ୍ଷାନୁଷ୍ଠାନ, ବ୍ୟବସାୟ ଓ ସାଧାରଣ ଜନଜୀବନ ଉପରେ ପ୍ରଭାବ ପଡ଼ିଛି। ପରିସ୍ଥିତି ଦୃଷ୍ଟିରେ ପୋଲିସ ଜନସାଧାରଣଙ୍କୁ ସଂଯମ ରଖିବା ଓ ହିଂସା ଏବଂ ଉତ୍ତେଜନାକୁ ଏଡ଼ାଇବା ପାଇଁ ଅନୁରୋଧ କରିଛି।
ପରିସ୍ଥିତି ଉପରେ ପ୍ରଶାସନ ନିରନ୍ତର ନଜର ରଖିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯାଇଛି।





