ଭୁବନେଶ୍ବର: ଓଡ଼ିଶାର କନ୍ଧମାଳରୁ ଜମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ଲମ୍ବିଥିବା ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)। ଏହି ମାମଲାରେ ଏନସିବି ଟିମ୍ କାଶ୍ମୀରରୁ ଦୁଇ ଜଣ ପ୍ରମୁଖ ସ୍ମଗଲରଙ୍କୁ ଗିରଫ କରିଛି। ସେମାନଙ୍କୁ ଶନିବାର ଅଧିକ ପଚରାଉଚରା ପାଇଁ ଭୁବନେଶ୍ୱର ଅଣାଯାଇଛି।

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ କାଶ୍ମୀରର ବିକ୍ରମ ସିଂହ ଏବଂ ତାଙ୍କ ସହଯୋଗୀ ଧର୍ମେନ୍ଦ୍ର ସିଂହ। ଏନସିବିର ଏକ ୯ ଜଣିଆ ଟିମ୍ ଦୀର୍ଘ ୫ ଦିନର ସ୍ପେଶାଲ ଅପରେସନ ପରେ ଏହି ଦୁଇ ଜଣଙ୍କୁ କାଶ୍ମୀରରୁ କାବୁ କରିବାରେ ସଫଳ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଓଡ଼ିଶାର କନ୍ଧମାଳ ଜିଲ୍ଲାରୁ ସଂଗ୍ରହ କରାଯାଉଥିବା ଉନ୍ନତମାନର ଗଞ୍ଜେଇକୁ ଷ୍ଟିଲ୍ କଣ୍ଟେନରରେ ପ୍ୟାକ୍ କରାଯାଉଥିଲା। ଏହାପରେ କାଶ୍ମୀରରୁ ସେଓ ନେଇ ଯାଉଥିବା ବଡ଼ ବଡ଼ ଟ୍ରକ୍ ଭିତରେ ଏହି ଗଞ୍ଜେଇ କଣ୍ଟେନରଗୁଡ଼ିକୁ ଲୁଚାଇ ରଖାଯାଉଥିଲା। ଏହି ଉପାୟରେ ସେମାନେ ଓଡ଼ିଶାରୁ ଜମ୍ମୁ-କାଶ୍ମୀର ସମେତ ସମଗ୍ର ଉତ୍ତର ଭାରତର ବିଭିନ୍ନ ବଜାରକୁ ଗଞ୍ଜେଇ ସପ୍ଲାଇ କରୁଥିଲେ।

ଚଳିତ ମାସ ଆରମ୍ଭରେ ସମ୍ବଲପୁରରୁ ଗଞ୍ଜେଇ ବୋଝେଇ ଏକ ଗାଡ଼ି ଜବତ ହେବା ପରେ ଏହି ବଡ଼ ର଼୍ୟାକେଟ୍‌ ସମ୍ପର୍କରେ ଏନସିବିକୁ ସୁରାଗ ମିଳିଥିଲା। ଏହାକୁ ଆଧାର କରି ତଦନ୍ତ କରାଯିବା ପରେ କାଶ୍ମୀରର ସ୍ମଗଲରମାନଙ୍କ କାରନାମା ସାମ୍ନାକୁ ଆସିଥିଲା। ଏହି ଚୋରା ଚାଲାଣ ନେଟୱର୍କରେ ଆଉ କେଉଁମାନେ ସାମିଲ ଅଛନ୍ତି ଏବଂ ଏହାର ଚେର କେତେ ଦୂରକୁ ଲମ୍ବିଛି, ସେ ନେଇ ଏନସିବି ଅଧିକ ଖୋଳତାଳ ଜାରି ରଖିଛି।