ମୁମ୍ବାଇ: ମୁମ୍ବାଇରୁ ଏକ ଅତ୍ୟନ୍ତ ବର୍ବର ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ୨୫ ବର୍ଷୀୟ ଯୁବକ ନିଜ ପତ୍ନୀଙ୍କୁ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ୱାମୀ ପତ୍ନୀଙ୍କୁ ଘର ଭିତରେ ବନ୍ଦ କରି ମାଡ଼ ମାରିବା ସହ କୁକୁଡ଼ା (Rooster Position) ବନାଇ ପ୍ରାୟ ୪ ଘଣ୍ଟା ଠିଆ କରି ରଖିଥିଲା। ଏତିକିରେ ତାର ମନ ଭରିନଥିଲା, ପତ୍ନୀ ଜୀବନ ବିକଳରେ ବାପଘରକୁ ପଳାଇବା ପରେ ସେଠାରେ ପହଞ୍ଚି ମଧ୍ୟ ସେ ଛୁରୀରେ ଆକ୍ରମଣ କରିଥିବା ଜଣାପଡ଼ିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତର ନାମ ଅରବାଜ ସୟଦ। କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଅରବାଜ ଉଗ୍ର ରୂପ ଧାରଣ କରି ପତ୍ନୀଙ୍କୁ ଏକ କୋଠରୀରେ ଆବଦ୍ଧ କରିଦେଇଥିଲା। ସେ ତାଙ୍କୁ କ୍ରୁର ଭାବେ ପିଟିବା ସହ ଏକ ତରବାରୀ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଏପରିକି ପତ୍ନୀଙ୍କ ମୁହଁରେ ଏସିଡ୍ ଫିଙ୍ଗିଦେବ ବୋଲି ମଧ୍ୟ କହିଥିଲା। ନିର୍ଯାତନାର ସୀମା ପାର କରି ସେ ପତ୍ନୀଙ୍କୁ ଦୀର୍ଘ ୪ ଘଣ୍ଟା କୁକୁଡ଼ା ସ୍ଥିତିରେ ରହିବାକୁ ବାଧ୍ୟ କରିଥିଲା।

ଅରବାଜ କବଳରୁ କୌଣସି ପ୍ରକାରେ ମୁକୁଳି ପତ୍ନୀ ଜଣକ ନିଜ ଜୀବନ ରକ୍ଷା ପାଇଁ ବାପଘରକୁ ପଳାଇଥିଲେ। ମାତ୍ର ଅଭିଯୁକ୍ତ ସେଠାରେ ମଧ୍ୟ ପହଞ୍ଚି ହଙ୍ଗାମା ସୃଷ୍ଟି କରିଥିଲା। ସେଠାରେ ସେ ନିଜ ପତ୍ନୀଙ୍କୁ ଏକ ଛୁରୀରେ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲା। ଏହା ଦେଖି ମହିଳାଙ୍କ ପରିବାର ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଅରବାଜକୁ ଗିରଫ କରିଛି।

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଅରବାଜ ଜଣେ ଅଭ୍ୟାସଗତ ଅପରାଧୀ। ତାର ନାମରେ ମୁମ୍ବାଇର ବିଭିନ୍ନ ଥାନାରେ ପୂର୍ବରୁ ୧୯ଟି ଗୁରୁତର ଅପରାଧିକ ମାମଲା ପଞ୍ଜିକୃତ ହୋଇ ରହିଛି। ଆହତ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକାଧିକ ସଙ୍ଗୀନ ଦଫାରେ ମାମଲା ରୁଜୁ କରି କୋର୍ଟ ଚାଲାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଯିବ।

ଚଳିତ ବର୍ଷ ପ୍ରାରମ୍ଭରେ ମୁମ୍ବାଇରୁ ଏଭଳି ଆଉ ଏକ ପାରିବାରିକ ବିବାଦ ସାମ୍ନାକୁ ଆସିଥିଲା। ଜଣେ ଶ୍ରମିକ ହଠାତ୍ ନିଜ ଘରକୁ ଫେରିବା ପରେ ଘର ଭିତରେ ସନ୍ଦେହଜନକ ସ୍ଥିତି ଦେଖି ପତ୍ନୀ ଓ ଜଣେ ସମ୍ପର୍କୀୟଙ୍କୁ ପଚରାଉଚରା କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଉଭୟ ମିଶି ସେହି ଶ୍ରମିକଙ୍କ ହାତ ଏବଂ ଜଙ୍ଘକୁ ଛୁରୀରେ ଆକ୍ରମଣ କରିଥିଲେ। ପୋଲିସ ଏହି ମାମଲାରେ ହତ୍ୟା ଉଦ୍ୟମ ଦଫା ଲଗାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।