ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ଘଟିଥିବା ଏକ ହିଟ୍-ଆଣ୍ଡ-ରନ୍ ମାମଲା ଏବେ ଏକ ଚାଞ୍ଚଲ୍ୟକର ମୋଡ଼ ନେଇଛି। ଏହି ଦୁର୍ଘଟଣା ପଛରେ ଏକ ତ୍ରିକୋଣୀୟ ପ୍ରେମ ବ୍ୟାପାର ଓ ଶତ୍ରୁତା ଥିବା ପୋଲିସ ସନ୍ଦେହ କରୁଛି। ନୀଳାଦ୍ରି ବିହାର ଏଟିଏମ୍ ଛକ ନିକଟରେ ଘଟିଥିବା ଏହି ସଙ୍ଗୀନ କାଣ୍ଡରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି।

ସୂଚନାନୁଯାୟୀ, ଗତ ଶୁକ୍ରବାର ବିଳମ୍ବିତ ରାତିରେ ୩ ଜଣ ଯୁବକ ଏକ ବାଇକ୍‌ରେ ନୀଳାଦ୍ରି ବିହାର ଅଞ୍ଚଳକୁ ଲସି ପିଇବାକୁ ଯାଉଥିଲେ। ସେଠାରେ କୌଣସି କଥାକୁ ନେଇ ଅଭିଯୁକ୍ତ ଗୋଷ୍ଠୀ ଏବଂ ଲସି ଦୋକାନୀଙ୍କ ସହ ସେମାନଙ୍କର ପ୍ରବଳ ବଚସା ଓ ପାଟିତୁଣ୍ଡ ହୋଇଥିଲା। ଏହି ଝଗଡ଼ା ଉଗ୍ର ରୂପ ନେଇଥିଲା ଏବଂ ଉଭୟ ଗୋଷ୍ଠୀ ପରସ୍ପରକୁ ଗୋଡ଼ାଇଥିଲେ। ଶେଷରେ ଅଭିଯୁକ୍ତମାନେ ଏକ ଦ୍ରୁତଗାମୀ ମହୀନ୍ଦ୍ରା ଥାର୍ ଗାଡ଼ିରେ ଆସି ବାଇକ୍‌କୁ ପଛପଟୁ ଜୋର୍‌ଦାର ଧକ୍କା ଦେଇଥିଲେ। ଗାଡ଼ି ମାଡ଼ରେ ବାଇକ୍‌ ଆରୋହୀଙ୍କ ମଧ୍ୟରୁ ଜଣେ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କରିଛନ୍ତି। ମୃତ ଯୁବକଙ୍କ ପରିବାର ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏହାକୁ ଏକ ପୂର୍ବପରିକଳ୍ପିତ ହତ୍ୟାକାଣ୍ଡ ଦର୍ଶାଇ ମାମଲା ରୁଜୁ କରିଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଥାର୍ ଗାଡ଼ିକୁ ଜବତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଏଥିରେ ପ୍ରତ୍ୟେକ ଅଭିଯୁକ୍ତଙ୍କର କଣ ଭୂମିକା ରହିଛି, ସେ ନେଇ ପୋଲିସ ଅଧିକ ଖୋଳତାଳ କରୁଛି।