ୱାଶିଂଟନ:

ଆମେରିକାର ରାଷ୍ଟ୍ରପତି Donald Trumpଙ୍କ ସ୍ୱାସ୍ଥ୍ୟ ଓ ଫିଟନେସ୍‌କୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ତାଙ୍କର ସଦ୍ୟତମ ମେଡିକାଲ୍‌ ରିପୋର୍ଟ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁସାରେ ଟ୍ରମ୍ପ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବା ସହ ରାଷ୍ଟ୍ରପତି ଭାବେ ସମସ୍ତ ଦାୟିତ୍ୱ ସଫଳତାର ସହ ନିର୍ବାହ କରିବାକୁ ସମ୍ପୂର୍ଣ୍ଣ ସକ୍ଷମ ଅଛନ୍ତି।

Walter Reed National Military Medical Centerରେ କରାଯାଇଥିବା ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଗତ ୧୩ ମାସ ମଧ୍ୟରେ ଏହା ଟ୍ରମ୍ପଙ୍କର ତୃତୀୟ ସମ୍ପୂର୍ଣ୍ଣ ମେଡିକାଲ୍‌ ଚେକ୍‌ଅପ୍‌ ଥିଲା।

ରାଷ୍ଟ୍ରପତିଙ୍କ ଚିକିତ୍ସକ Sean Barbabella ପ୍ରେସ୍‌ ସଚିବ Karoline Leavittଙ୍କୁ ପଠାଇଥିବା ଏକ ସ୍ମାରକପତ୍ରରେ କହିଛନ୍ତି ଯେ, ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା “ଉତ୍କୃଷ୍ଟ” ରହିଛି। ତାଙ୍କର ହୃଦୟ, ଫୁସଫୁସ ଏବଂ ସ୍ନାୟୁତନ୍ତ୍ରର କାର୍ଯ୍ୟ ସ୍ୱାଭାବିକ ରହିଥିବା ବେଳେ ଶରୀର ଓ ମନ ମଧ୍ୟରେ ସଠିକ୍‌ ସମନ୍ୱୟ ରହିଛି।

ରିପୋର୍ଟରେ କୁହାଯାଇଛି ଯେ, ଟ୍ରମ୍ପ କମାଣ୍ଡର-ଇନ୍-ଚିଫ୍‌ ଓ ରାଷ୍ଟ୍ରମୁଖ୍ୟ ଭାବେ ନିଜର ସମସ୍ତ ଦାୟିତ୍ୱ ପାଳନ କରିବାକୁ ଶାରୀରିକ ଏବଂ ମାନସିକ ଭାବେ ସକ୍ଷମ। ତେବେ ଭବିଷ୍ୟତରେ ସ୍ୱାସ୍ଥ୍ୟକୁ ଆହୁରି ସୁଦୃଢ଼ ରଖିବା ପାଇଁ ତାଙ୍କୁ ଓଜନ ହ୍ରାସ, ସୁସମ ଖାଦ୍ୟ ଗ୍ରହଣ ଓ ନିୟମିତ ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଇଛି।

ଚିକିତ୍ସା ପରୀକ୍ଷା ବେଳେ ଟ୍ରମ୍ପଙ୍କ ଓଜନ ପ୍ରାୟ ୧୦୮ କିଲୋଗ୍ରାମ ଏବଂ ବିଶ୍ରାମ ଅବସ୍ଥାରେ ହୃଦସ୍ପନ୍ଦନ ପ୍ରତି ମିନିଟ୍‌ରେ ୭୩ ଥର ରେକର୍ଡ କରାଯାଇଥିଲା। ସ୍ମୃତିଶକ୍ତି, ଚିନ୍ତନ କ୍ଷମତା ଓ ମାନସିକ ସ୍ଥିତିର ମୂଲ୍ୟାଙ୍କନ ପାଇଁ ହୋଇଥିବା ଜ୍ଞାନଗତ ପରୀକ୍ଷାରେ ସେ ୩୦ରୁ ୩୦ ନମ୍ବର ପାଇଥିଲେ।

ଡାକ୍ତରମାନେ କେବଳ ଦୁଇଟି ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଧ୍ୟାନ ଦେଇଥିଲେ। ପ୍ରଥମତଃ, ତାଙ୍କ ଗୋଡ଼ରେ ସାମାନ୍ୟ ଫୁଲା ଦେଖାଯାଇଥିଲା ଏବଂ ଦ୍ୱିତୀୟତଃ, ହାତରେ କିଛି ନୀଳ ଚିହ୍ନ ରହିଥିଲା। ଚିକିତ୍ସକଙ୍କ ମତରେ, ଏହା ବାରମ୍ବାର ହାତ ମିଳାଇବା ଏବଂ ହୃଦ୍‌ରୋଗ ପ୍ରତିରୋଧ ପାଇଁ ସେ ନେଉଥିବା ଆସ୍ପିରିନ୍‌ ଔଷଧର ପ୍ରଭାବ ଯୋଗୁଁ ହୋଇଛି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଟ୍ରମ୍ପଙ୍କର ‘କ୍ରୋନିକ୍‌ ଭେନସ୍‌ ଇନସଫିସିଏନ୍ସି’ ନାମକ ଏକ ଅବସ୍ଥା ଥିବା ଜଣାପଡ଼ିଥିଲା, ଯାହା ଗୋଡ଼ରେ ରକ୍ତ ପ୍ରବାହକୁ ପ୍ରଭାବିତ କରିପାରେ। ତେବେ ଚିକିତ୍ସକମାନେ ସ୍ପଷ୍ଟ କରିଛନ୍ତି ଯେ, ଏହା କୌଣସି ଜୀବନ-ସଙ୍କଟପୂର୍ଣ୍ଣ ରୋଗ ନୁହେଁ।

ଆସନ୍ତା ଜୁନ୍‌ ୧୪ ତାରିଖରେ ଟ୍ରମ୍ପ ୮୦ ବର୍ଷ ବୟସରେ ପଦାର୍ପଣ କରିବେ। ଏହି ପରିପ୍ରେକ୍ଷୀରେ ତାଙ୍କର ସ୍ୱାସ୍ଥ୍ୟ ଓ କାର୍ଯ୍ୟକ୍ଷମତାକୁ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ପ୍ରକାଶିତ ଏହି ମେଡିକାଲ୍‌ ରିପୋର୍ଟ ତାଙ୍କ ସମର୍ଥକଙ୍କ ପାଇଁ ଆଶ୍ୱସ୍ତି ଆଣିଛି।