କଟକ: ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଏକ ବଡ଼ ଧରଣର ହାଇଟେକ କପି ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ରବିବାର ଦିନ କଟକର ଏକ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଏହି ବେଆଇନ କାର୍ଯ୍ୟକଳାପକୁ ଫ୍ଲାଇଙ୍ଗ ସ୍କ୍ୱାଡ୍ ଧରିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ଏହି ମାମଲାରେ ପରୀକ୍ଷାର୍ଥୀଙ୍କ ସମେତ ମୋଟ ୪ ଜଣ ଯୁବକଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ମର୍କତନଗର ଥାନା ଅନ୍ତର୍ଗତ ଏକ ଇଞ୍ଜିନିୟରିଂ କଲେଜରେ ପରୀକ୍ଷା ଚାଲିଥିବା ସମୟରେ ଜଣେ ସ୍କ୍ୱାଡ୍ ଟିମ୍ ହଠାତ୍ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଜଣେ ପରୀକ୍ଷାର୍ଥୀ ଫିଲ୍ମ ଷ୍ଟାଇଲ୍‌ରେ କପି କରୁଥିବା ଜଣାପଡ଼ିଥିଲା। ପରୀକ୍ଷାର୍ଥୀ ଜଣକ ନିଜ ଅନ୍ତଃବସ୍ତ୍ର ଭିତରେ ଏକ ସ୍ମାର୍ଟଫୋନ୍ ଲୁଚାଇ ରଖିଥିଲେ ଏବଂ ଲମ୍ବା କେଶ ତଳେ ଏକ Wireless Earbud ଲଗାଇଥିଲେ। ପରୀକ୍ଷା ହଲ୍‌ ଭିତରୁ ସେ ଲାଇଭ୍ କଲ୍ ମାଧ୍ୟମରେ ବାହାରେ ଥିବା ଜଣେ ସହଯୋଗୀଙ୍କୁ ପ୍ରଶ୍ନ ପଢ଼ି ଶୁଣାଉଥିଲେ। ବାହାରେ ଥିବା ବ୍ୟକ୍ତିଜଣକ ଇଣ୍ଟରନେଟ୍‌ରୁ ଉତ୍ତର ସର୍ଚ୍ଚ କରି ତୁରନ୍ତ ଇୟରବଡ୍ ସାହାଯ୍ୟରେ ପରୀକ୍ଷାର୍ଥୀଙ୍କୁ ଉତ୍ତର ଡାକୁଥିଲେ।

ଫ୍ଲାଇଙ୍ଗ ସ୍କ୍ୱାଡ୍ ତୁରନ୍ତ ପରୀକ୍ଷାର୍ଥୀଙ୍କୁ ବହିଷ୍କାର କରିବା ସହ ମର୍କତନଗର ଥାନା ପୋଲିସକୁ ହସ୍ତାନ୍ତର କରିଥିଲା। ଗିରଫ ପରୀକ୍ଷାର୍ଥୀ ଜଣକ ଚାଉଳିଆଗଞ୍ଜ ଅଞ୍ଚଳର ବୋଲି ଜଣାପଡ଼ିଛି। ତାଙ୍କ ମୋବାଇଲ୍‌ ଫୋନ୍‌ରୁ ମିଳିଥିବା ସୂଚନା ଆଧାରରେ ପୋଲିସ ବେଲ୍‌ଭ୍ୟୁ ଏବଂ ସିଡିଏ (CDA) ଅଞ୍ଚଳରୁ ଅନ୍ୟ ୩ ଜଣ ଯୁବକଙ୍କୁ ଗିରଫ କରିଛି।

ଗିରଫ ହୋଇଥିବା ଯୁବକମାନଙ୍କ ମଧ୍ୟରୁ ଜଣେ ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟର ସହ ଜଡ଼ିତ, ଯିଏ କି ପରୀକ୍ଷାର୍ଥୀଙ୍କୁ ସଠିକ୍ ଉତ୍ତର ଯୋଗାଇବାରେ ସାହାଯ୍ୟ କରୁଥିଲେ। ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ୪ଟି ମୋବାଇଲ୍ ଫୋନ୍, ଏକ ଇୟରବଡ୍ ଏବଂ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ସେମାନଙ୍କ ହ୍ୱାଟ୍ସଆପ୍ ଚାଟ୍‌ରୁ ଏହି ରାକେଟ୍‌ର ବଡ଼ ନେଟୱର୍କ ବିଷୟରେ ପ୍ରମାଣ ମିଳିଛି।

ପୋଲିସ ଆଗରେ ନିଜ ଦୋଷ ସ୍ୱୀକାର କରି ପରୀକ୍ଷାର୍ଥୀ ଜଣକ କହିଛନ୍ତି ଯେ, ବାରମ୍ବାର ପ୍ରତିଯୋଗିତାମୂଳକ ପରୀକ୍ଷାରେ ବିଫଳ ହେବା ପରେ ସେ ନିରାଶ ହୋଇ ଏଭଳି ବେଆଇନ ଉପାୟ ଆପଣାଇଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।