ଲକ୍ଷ୍ନୌ: ଉତ୍ତରପ୍ରଦେଶର ବହୁ ପ୍ରତୀକ୍ଷିତ ଗଙ୍ଗା ଏକ୍ସପ୍ରେସୱେକୁ ନେଇ ନୂଆ ବିବାଦ ସାମ୍ନାକୁ ଆସିଛି। ପ୍ରାୟ ₹୪,୨୦୦ କୋଟି ବ୍ୟୟରେ ନିର୍ମିତ ଏକ୍ସପ୍ରେସୱେର ଏକ ଅଂଶ ଉଦ୍‌ଘାଟନର କିଛି ସପ୍ତାହ ମଧ୍ୟରେ ଦବିଯିବା ପରେ ନିର୍ମାଣର ଗୁଣବତ୍ତା ନେଇ ପ୍ରଶ୍ନ ଉଠିଛି। ଘଟଣା ପରେ କ୍ଷତିଗ୍ରସ୍ତ ସ୍ଥାନରେ ମରାମତି କାମ ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ହରଦୋଇ ଜିଲ୍ଲା ଅଞ୍ଚଳରେ ଥିବା ଏକ୍ସପ୍ରେସୱେର ଏକ ଅଂଶରେ ମୌସୁମୀ ବର୍ଷା ପରେ ତଳ ମାଟି ଧୋଇଯିବାରୁ ରାସ୍ତାର ପୃଷ୍ଠଭାଗ ବସିଯାଇଥିଲା। ପରିସ୍ଥିତି ଜଣାପଡ଼ିବା ପରେ କ୍ଷତିଗ୍ରସ୍ତ ଅଂଶକୁ ଖୋଳି ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି।

ଉତ୍ତରପ୍ରଦେଶ ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ୍ ଡେଭେଲପମେଣ୍ଟ ଅଥରିଟି (UPEIDA) ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହା କୌଣସି ବଡ଼ ଗଠନଗତ ତ୍ରୁଟି ନୁହେଁ। ଲଗାତାର ପ୍ରବଳ ବର୍ଷା ଯୋଗୁଁ ଏକ ସ୍ଥାନରେ ମାଟି ଧୋଇଯିବାରୁ ରାସ୍ତାର ଅଂଶ ବସିଯାଇଥିଲା। ଏହି ତ୍ରୁଟି ଚିହ୍ନଟ ହେବା ପରେ ସମ୍ପୃକ୍ତ ଠିକା ସଂସ୍ଥାକୁ ନିଜ ଖର୍ଚ୍ଚରେ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ, ବିରୋଧୀ ଦଳ ଏହି ଘଟଣାକୁ ନେଇ ସରକାରଙ୍କୁ କଟାକ୍ଷ କରିଛନ୍ତି। ଏତେ ବଡ଼ ଅର୍ଥ ବ୍ୟୟରେ ନିର୍ମିତ ଏକ୍ସପ୍ରେସୱେରେ ଅଳ୍ପ ସମୟ ମଧ୍ୟରେ ଏଭଳି ସମସ୍ୟା ଦେଖାଦେବା ନିର୍ମାଣ ଗୁଣବତ୍ତା ଉପରେ ସନ୍ଦେହ ସୃଷ୍ଟି କରୁଛି ବୋଲି ସେମାନେ କହିଛନ୍ତି।

ଏହି ଘଟଣା ସହ ଜଡିତ ରାସ୍ତା ଦବିଯିବା ଏବଂ ମରାମତି ପାଇଁ ଖୋଳାଯାଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ଭାଇରାଲ ହୋଇଛି। ତେବେ ପ୍ରକଳ୍ପ କର୍ତ୍ତୃପକ୍ଷ ମରାମତି କାମ ଶୀଘ୍ର ଶେଷ କରାଯିବ ଏବଂ ଏକ୍ସପ୍ରେସୱେର ସୁରକ୍ଷା ଓ ଗୁଣବତ୍ତା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଦାବି କରିଛନ୍ତି।