ନୂଆଦିଲ୍ଲୀ: ଦେଶର ରାଜନୈତିକ ମାନଚିତ୍ରରେ ଏକ ବଡ଼ ପରିବର୍ତ୍ତନର ସମ୍ଭାବନା ସୃଷ୍ଟି ହୋଇଛି। ଲୋକସଭା ଆସନ ସଂଖ୍ୟା ୫୦ ପ୍ରତିଶତ ବଢ଼ାଇବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ, ବର୍ତ୍ତମାନ ଯେଉଁ ରାଜ୍ୟରୁ ଯେତିକି ସଂଖ୍ୟକ ସାଂସଦ ନିର୍ବାଚିତ ହେଉଛନ୍ତି, ଆଗାମୀ ଦିନରେ ସେହି ସମାନ ଅନୁପାତରେ ଆସନ ସଂଖ୍ୟା ବୃଦ୍ଧି ପାଇପାରେ। ଏହି ନୂତନ ବ୍ୟବସ୍ଥାକୁ ୨୦୫୧ ମସିହା ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ଯୋଜନା ଚାଲିଥିବା ସୂଚନା ମିଳିଛି।
ବର୍ତ୍ତମାନ ଲୋକସଭାରେ ୫୪୩ଟି ନିର୍ବାଚିତ ଆସନ ରହିଛି। ଯଦି ଆସନ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ହୁଏ, ତେବେ ଏହି ସଂଖ୍ୟା ପ୍ରାୟ ୮୫୦ରେ ପହଞ୍ଚିବାର ସମ୍ଭାବନା ରହିଛି। ଫଳରେ ଉତ୍ତର ଭାରତ ହେଉ କି ଦକ୍ଷିଣ ଭାରତ, ଦେଶର ସମସ୍ତ ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ବଢ଼ିବ। ତେବେ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ବିଭିନ୍ନ ରାଜ୍ୟ ମଧ୍ୟରେ ଆସନ ବଣ୍ଟନର ବର୍ତ୍ତମାନର ଅନୁପାତକୁ ବଜାୟ ରଖିବାକୁ ସରକାର ଚାହୁଁଛନ୍ତି। ବିଶେଷ କରି ଯେଉଁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି, ସେମାନଙ୍କ ଲୋକସଭା ପ୍ରତିନିଧିତ୍ୱ କମିଯିବା ନେଇ ରହିଥିବା ଆଶଙ୍କାକୁ ଦୂର କରିବା ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଉଛି।
ଏହି ପ୍ରସ୍ତାବର ସମ୍ପର୍କ ମହିଳା ସଂରକ୍ଷଣ ଆଇନ ସହିତ ମଧ୍ୟ ରହିଥିବା ଜଣାପଡ଼ିଛି। ଲୋକସଭା ଏବଂ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବାକୁ ସରକାର ଯୋଜନା କରୁଛନ୍ତି। ପୂର୍ବରୁ ଏପ୍ରିଲ ମାସରେ ଏ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ପାରିତ ହୋଇପାରି ନଥିଲା। ଏବେ ନୂଆ ପ୍ରସ୍ତାବ ସହ ଆସନ୍ତା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସରକାର ଏହି ପ୍ରସଙ୍ଗକୁ ଆଗତ କରିପାରନ୍ତି।
ନଭେମ୍ବର ୩୦ରୁ ବସିବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନକୁ ନେଇ ରାଜନୈତିକ ମହଲରେ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତଥାପି ଆସନ ସଂଖ୍ୟାର ଚୂଡ଼ାନ୍ତ ବଣ୍ଟନ, ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ ଏବଂ ସମ୍ବିଧାନିକ ବ୍ୟବସ୍ଥାଗୁଡ଼ିକ ପରବର୍ତ୍ତୀ ଆଇନଗତ ଓ ବିଧାୟୀ ପଦକ୍ଷେପ ଉପରେ ନିର୍ଭର କରିବ ବୋଲି ମତ ପ୍ରକାଶ ପାଇଛି।




