ଭୁବନେଶ୍ୱର: ଜନମତ ଆକଳନ, ସରକାରୀ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା ଏବଂ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ଆସନ୍ତା ଡିସେମ୍ବର ୧ ତାରିଖରୁ ଏକ ବଡ଼ ଧରଣର ଜନସମ୍ପର୍କ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ‘ସେବା ଦୂତ ଅଭିଯାନ’ ନାମରେ ନାମିତ ଏହି ୨୫ ଦିନିଆ କାର୍ଯ୍ୟକ୍ରମ ଡିସେମ୍ବର ୨୫ ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ହରିଶ ଦ୍ୱିବେଦୀଙ୍କୁ ଏହି କାର୍ଯ୍ୟକ୍ରମର ଜାତୀୟ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି ଏବଂ ସେ ଦେଶବ୍ୟାପୀ ଏହାର କାର୍ଯ୍ୟାନ୍ୱୟନ ତଦାରଖ କରିବେ।
ଏହି କାର୍ଯ୍ୟକ୍ରମ ଅଧୀନରେ ମନ୍ତ୍ରୀ ଏବଂ ବରିଷ୍ଠ ଦଳୀୟ ନେତାମାନେ ନିଜ ନିର୍ବାଚନମଣ୍ଡଳୀ ବାହାରେ ଥିବା ବିଧାନସଭା କ୍ଷେତ୍ର ଗସ୍ତ କରିବେ। ସେଠାରେ ସ୍ଥାନୀୟ ବାସିନ୍ଦାଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସରକାରୀ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସାଂଗଠନିକ ସମ୍ପାଦକ ମାନସ ମହାନ୍ତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବିଜେପି ବୈଠକରେ ଏହି ପଦକ୍ଷେପକୁ ଚୂଡ଼ାନ୍ତ ରୂପ ଦିଆଯାଇଛି।
ଅଭିଯାନ ସମୟରେ ନେତାମାନେ ଲୋକଙ୍କ ଗହଣରେ ରହି ଶାସନ ବ୍ୟବସ୍ଥା ଉପରେ ସିଧାସଳଖ ମତାମତ ସଂଗ୍ରହ କରିବେ। ଏହା ସହିତ ସ୍ଥାନୀୟ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବା ଏବଂ ତୃଣମୂଳ ସ୍ତରରେ ଦଳୀୟ ସଂଗଠନର ସ୍ଥିତି ପରଖିବା ପାଇଁ ଦାୟିତ୍ୱ ଦିଆଯାଇଛି। ବିଧାୟକମାନଙ୍କୁ ମଧ୍ୟ ନିଜ ନିର୍ବାଚନମଣ୍ଡଳୀ ବାହାର କ୍ଷେତ୍ର ଗସ୍ତ କରି ସଂଗଠନ ସମ୍ପ୍ରସାରଣ ଏବଂ ଜନସାଧାରଣଙ୍କ ସମସ୍ୟା ଉପରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଜେପି ନେତୃତ୍ୱଙ୍କ ବିଶ୍ୱାସ ଯେ, ଏହି ଅଭିଯାନ ସରକାର ଏବଂ ଦଳ ମଧ୍ୟରେ ସମନ୍ୱୟକୁ ଆହୁରି ମଜବୁତ କରିବ। ଯୋଜନା କାର୍ଯ୍ୟକାରିତାରେ ଥିବା ତ୍ରୁଟିଗୁଡ଼ିକୁ ସୁଧାରିବା ସହ ଭୋଟରଙ୍କ ସହ ଦଳର ସମ୍ପର୍କକୁ ଅଧିକ ଗଭୀର କରିବାରେ ‘ସେବା ଦୂତ ଅଭିଯାନ’ ସହାୟକ ହେବ ବୋଲି ଦଳ ପକ୍ଷରୁ ଆଶା କରାଯାଉଛି।




