ଦୈନନ୍ଦିନ ଖାଦ୍ୟରେ ଚିଙ୍ଗୁଡ଼ି ଓ ମାଛ ଉଭୟ ପ୍ରୋଟିନ୍‌ର ଉତ୍ତମ ଉତ୍ସ ଭାବେ ପରିଚିତ। ତେବେ ଉଭୟ ଖାଦ୍ୟର ପୋଷଣଗତ ଗୁଣ ଭିନ୍ନ ଭିନ୍ନ ହୋଇଥିବାରୁ ଏଗୁଡ଼ିକ ଶରୀରର ଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆବଶ୍ୟକତାକୁ ପୂରଣ କରିଥାଏ। ଚିଙ୍ଗୁଡ଼ି କମ୍ କ୍ୟାଲୋରିଯୁକ୍ତ ପ୍ରୋଟିନ୍‌ର ଏକ ଭଲ ଉତ୍ସ ହୋଇଥିବା ବେଳେ ମାଛ ହୃତ୍‌ପିଣ୍ଡ, ମସ୍ତିଷ୍କ ଏବଂ ଗଣ୍ଠି ପାଇଁ ଅତ୍ୟନ୍ତ ଲାଭଦାୟକ ଓମେଗା-୩ ଫ୍ୟାଟି ଏସିଡ୍ ଓ ଭିଟାମିନ୍-ଡି ଯୋଗାଇଥାଏ।

ପ୍ରତି ୧୦୦ ଗ୍ରାମ ରନ୍ଧା ଚିଙ୍ଗୁଡ଼ିରେ ପ୍ରାୟ ୧୦୦ କ୍ୟାଲୋରି, ୨୦ ଗ୍ରାମ ପ୍ରୋଟିନ୍ ଏବଂ ମାତ୍ର ୧ ଗ୍ରାମ ଫ୍ୟାଟ୍ ରହିଥାଏ। ଏହା ସହିତ ଏଥିରେ ଭିଟାମିନ୍ ବି-୧୨, ସେଲେନିୟମ୍, ଜିଙ୍କ୍, ଆୟୋଡିନ୍, ଫସଫରସ୍ ଏବଂ ଆଷ୍ଟାକ୍ସାନ୍ଥିନ୍ ଭଳି ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ। ଚିଙ୍ଗୁଡ଼ିରେ କ୍ୟାଲୋରି ଓ ଚର୍ବିର ପରିମାଣ କମ୍ ଥିବାରୁ ଏହା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭରପୂର ରଖେ। ଯେଉଁମାନେ ଓଜନ କମାଇବାକୁ ଚାହାନ୍ତି କିମ୍ବା ଶରୀରରେ ଅତ୍ୟାବଶ୍ୟକ ଖଣିଜ ପଦାର୍ଥର ମାତ୍ରା ବଢ଼ାଇବାକୁ ଚାହାନ୍ତି, ସେମାନଙ୍କ ପାଇଁ ଚିଙ୍ଗୁଡ଼ି ଏକ ଉତ୍ତମ ବିକଳ୍ପ। ଏହା ମେଟାବୋଲିଜିମ୍ ଏବଂ ଥାଇରଏଡ୍ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଆଣ୍ଟି-ଅକ୍ସିଡାଣ୍ଟ ଯୋଗାଇ ଆଖି ଓ ଚର୍ମର ସୁରକ୍ଷା କରେ ଏବଂ ଶରୀରର ପ୍ରଦାହ କମାଇବାରେ ସାହାଯ୍ୟ କରେ।

ଅନ୍ୟପକ୍ଷରେ, ପ୍ରତି ୧୦୦ ଗ୍ରାମ ମାଛରେ ୧୦୦ରୁ ୧୩୦ କ୍ୟାଲୋରି, ୨୦ରୁ ୨୪ ଗ୍ରାମ ପ୍ରୋଟିନ୍ ଏବଂ ୧ରୁ ୩ ଗ୍ରାମ ଫ୍ୟାଟ୍ ରହିଥାଏ। ଏଥିରେ ଭିଟାମିନ୍-ବି, ଭିଟାମିନ୍-ଡି, ଆୟୋଡିନ୍ ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ଭରପୂର ମାତ୍ରାରେ ଥାଏ। ମାଛ ଓଜନ ନିୟନ୍ତ୍ରଣରେ ସହାୟକ ହୁଏ ଏବଂ ତେଲିଆ ମାଛରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍ ଚର୍ବି କମାଇବାରେ ସାହାଯ୍ୟ କରେ। ମାଛରେ ଥିବା ଓମେଗା-୩ ହୃତ୍‌ପିଣ୍ଡ, ମସ୍ତିଷ୍କ ଏବଂ ଗଣ୍ଠିର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରି। ଏହା ସ୍ମରଣଶକ୍ତି ବଢ଼ାଇବା ସହ ଭିଟାମିନ୍-ଡି ଯୋଗାଏ ଏବଂ ସାଧା ମାଛ ସହଜରେ ହଜମ ହେଉଥିବାରୁ ପେଟ ପାଇଁ ମଧ୍ୟ ଭଲ ହୋଇଥାଏ।

ଚିଙ୍ଗୁଡ଼ି ଓ ମାଛ ଉଭୟରେ ଶରୀର ପାଇଁ ଆବଶ୍ୟକୀୟ ଆମିନୋ ଏସିଡ୍ ରହିଛି, ଯାହା ମାଂସପେଶୀ ଗଠନ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଉଭୟ ଓଜନ କମାଇବା ପାଇଁ ଉପଯୋଗୀ। ତେବେ ଅତ୍ୟଧିକ ତେଲ, ମସଲା କିମ୍ବା କ୍ରିମି ସସ୍ ବ୍ୟବହାର କରିବା ପରିବର୍ତ୍ତେ ଗ୍ରିଲ୍ କରି, ବାମ୍ଫରେ ସିଝାଇ କିମ୍ବା ଅଳ୍ପ ତେଲରେ ରାନ୍ଧି ଖାଇଲେ ଏହାର ପ୍ରକୃତ ସ୍ୱାସ୍ଥ୍ୟଗତ ଲାଭ ମିଳିଥାଏ।