ନବରଙ୍ଗପୁର: ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟରେ ପ୍ରସ୍ତାବିତ ପୋଲ ନିର୍ମାଣ ପ୍ରକଳ୍ପକୁ ପୁଣି ଝଟ୍‌କା ଲାଗିଛି। ଏହି ପୋଲ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଦାଖଲ କରାଯାଇଥିବା ୨୪୪ କୋଟି ଟଙ୍କାର ଡିଟେଲ୍‌ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ଫେରାଇ ଦିଆଯାଇଛି। ପ୍ରସ୍ତାବିତ ଅଞ୍ଚଳରେ ପୂର୍ତ୍ତ ବିଭାଗର ସଂଯୋଗ ରାସ୍ତା ନଥିବାରୁ ଏହାକୁ ଫେରାଇ ଦିଆଯାଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି।

ସଂଯୋଗ ରାସ୍ତା ନଥିବା ଦର୍ଶାଇ ଡିପିଆର୍‌ ଫେରସ୍ତ

ପ୍ରାୟ ୯ ମାସ ପୂର୍ବେ କେନ୍ଦୁଗୁଡ଼ା ଘାଟ ପୋଲ ନିର୍ମାଣ ପାଇଁ ୨୪୪ କୋଟି ଟଙ୍କାର ଡିପିଆର୍‌ ରାଜ୍ୟ ୱାର୍କସ ବିଭାଗ ନିକଟରେ ଦାଖଲ କରାଯାଇଥିଲା। ତେବେ ପ୍ରସ୍ତାବିତ ସ୍ଥାନକୁ ପୂର୍ତ୍ତ ବିଭାଗର ସଂଯୋଗ ରାସ୍ତା ନଥିବା ଦର୍ଶାଇ ଏହାକୁ ଫେରାଇ ଦିଆଯାଇଛି। ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ. କ୍ଷୀରଧର କନ୍ଧପାଣି ଏହି ସୂଚନା ଦେଇଛନ୍ତି।

ମାନବାଧିକାର କମିସନଙ୍କ ହସ୍ତକ୍ଷେପ ପରେ ବି ଅଗ୍ରଗତି ନାହିଁ

କେନ୍ଦୁଗୁଡ଼ା ଘାଟରେ ପୋଲ ନିର୍ମାଣ ଦାବି ଦୀର୍ଘଦିନର। ଏହାର ବିଳମ୍ବକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଥିଲା। କମିସନ ଏହି ଆବେଦନକୁ ଗ୍ରହଣ କରି ପୋଲର ଆବଶ୍ୟକତା ଓ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦେବାକୁ ରାଜ୍ୟ ଜଳସେଚନ ବିଭାଗର ସଚିବ ଓ ମୁଖ୍ୟଯନ୍ତ୍ରୀଙ୍କୁ କହିଥିଲେ। ଏହା ସହ ଇନ୍ଦ୍ରାବତୀ-କୋଲାବ ବେସିନର ମୁଖ୍ୟଯନ୍ତ୍ରୀ ଓ ବେସିନ୍‌ ପ୍ରବନ୍ଧକଙ୍କଠାରୁ ମଧ୍ୟ ରିପୋର୍ଟ ମଗାଯାଇଥିଲା।

ଜଳସେଚନ ବିଭାଗର ସ୍ଥଳ ଅନୁଧ୍ୟାନ ପରେ ଏହି ସ୍ଥାନରେ ପୋଲ ନିର୍ମାଣର ଆବଶ୍ୟକତା ଥିବା ମତ ଦିଆଯାଇଥିଲା। ତଥାପି ପ୍ରକଳ୍ପ ଆଗକୁ ବଢ଼ିପାରିନାହିଁ।

ପୋଲ ହେଲେ ୭୦ କିମି କମିବ ନବରଙ୍ଗପୁର-ରାୟଗଡ଼ା ଦୂରତା

କେନ୍ଦୁଗୁଡ଼ା ଘାଟରେ ପୋଲ ନିର୍ମାଣ ହେଲେ ନବରଙ୍ଗପୁର ଓ ରାୟଗଡ଼ା ମଧ୍ୟରେ ଯାତାୟାତ ସୁଗମ ହେବ। ବର୍ତ୍ତମାନ ନବରଙ୍ଗପୁରରୁ ରାୟଗଡ଼ା ଯିବାକୁ ପ୍ରାୟ ୧୭୫ କିଲୋମିଟର ଯାତ୍ରା କରିବାକୁ ପଡ଼ୁଛି। ପୋଲ ନିର୍ମାଣ ହେଲେ ଏହି ଦୂରତା ପ୍ରାୟ ୭୦ କିଲୋମିଟର କମି ୧୦୫ କିଲୋମିଟର ହୋଇପାରିବ।

ଏହା ଦ୍ୱାରା ଇନ୍ଦ୍ରାବତୀ ଜଳଭଣ୍ଡାର ଚାରିପାଖରେ ଥିବା ଆଦିବାସୀ ଅଞ୍ଚଳଗୁଡ଼ିକୁ ବର୍ଷସାରା ଯୋଗାଯୋଗ ସୁବିଧା ମିଳିବ। ନବରଙ୍ଗପୁର ସଂଲଗ୍ନ ଜାତୀୟ ରାଜପଥ-୨୬ ଓ ଭାରତମାଳା ଆର୍ଥିକ କରିଡର ସହ ରାୟଗଡ଼ା ଓ ଗୋପାଳପୁର ବନ୍ଦର ମଧ୍ୟରେ ଯୋଗାଯୋଗର ନୂଆ ସମ୍ଭାବନା ସୃଷ୍ଟି ହୋଇପାରିବ। ଏହା ଦକ୍ଷିଣ ଓଡ଼ିଶାରେ ବାଣିଜ୍ୟ, ଶିଳ୍ପ ଓ ନିବେଶକୁ ମଧ୍ୟ ଗତି ଦେଇପାରେ। ଏଥିରୁ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ଉପକୃତ ହେବାର ଆଶା ରହିଛି।

ପୂର୍ବରୁ ମଧ୍ୟ ଅଟକିଛି ପ୍ରକଳ୍ପ

କେନ୍ଦୁଗୁଡ଼ା ପୋଲ ପ୍ରକଳ୍ପ ଅଟକିବା ଏହା ପ୍ରଥମ ଘଟଣା ନୁହେଁ। ୨୦୨୧ ମସିହାରେ ଏହି ପୋଲ ପାଇଁ ୧୫୦ କୋଟି ଟଙ୍କାର ଡିପିଆର୍‌ ପ୍ରସ୍ତୁତ କରି ଦାଖଲ କରାଯାଇଥିଲେ ମଧ୍ୟ ତାହା ଅନୁମୋଦନ ପାଇନଥିଲା। ଏହା ପୂର୍ବରୁ ୨୦୨୦ରେ ୫୪ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା, କିନ୍ତୁ ପରେ ତାହା ବାତିଲ ହୋଇଯାଇଥିଲା।

ପ୍ରତ୍ୟେକ ନିର୍ବାଚନ ସମୟରେ ଏହି ପୋଲ ନିର୍ମାଣ ପ୍ରସଙ୍ଗ ଚର୍ଚ୍ଚାକୁ ଆସୁଥିବା ବେଳେ ନିର୍ବାଚନ ପରେ ପ୍ରକଳ୍ପ ଆଗକୁ ବଢ଼ୁନଥିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏବେ ୨୪୪ କୋଟି ଟଙ୍କାର ଡିପିଆର୍‌ ଫେରିଯିବା ପରେ ପ୍ରକଳ୍ପର ଭବିଷ୍ୟତ ନେଇ ପୁଣି ପ୍ରଶ୍ନ ଉଠିଛି।