କାଳିଆପାଣି/ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା କ୍ରୋମ୍‌ ଉପତ୍ୟକାରେ ଖଣିଜ ଚୋରି ଥମିବାର ନାଁ ନେଉନାହିଁ। କାଳିଆପାଣି ଖଣି ଅଞ୍ଚଳରୁ କ୍ରୋମାଇଟ୍‌ ଚୋରି କରି ଗଚ୍ଛିତ ରଖିବା ଓ ପରେ ଚୋରା ଚାଲାଣ କରିବା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ଖଣି ବିଭାଗର ମାଇନିଂ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ବିଭିନ୍ନ ସମୟରେ ଚଢ଼ଉ କରି ଚୋରା ଡିପୋ ଠାବ କରୁଥିବା ବେଳେ ଗତ ୪ ବର୍ଷରେ ୪ ହଜାର ମେଟ୍ରିକ୍‌ ଟନ୍‌ରୁ ଅଧିକ କ୍ରୋମାଇଟ୍‌ ଜବତ ହୋଇଛି। ଏହାର ଆନ୍ତର୍ଜାତୀୟ ବଜାର ମୂଲ୍ୟ ୧୦ କୋଟି ଟଙ୍କାରୁ ଅଧିକ ବୋଲି ଆକଳନ କରାଯାଇଛି।

୭୫ ବର୍ଷ ଧରି ଚାଲିଛି ଚୋରା କାରବାର

ସୁକିନ୍ଦା କ୍ରୋମ୍‌ ଉପତ୍ୟକାରେ ୧୯୫୦ ମସିହାରୁ ଖଣିଜ ଉତ୍ତୋଳନ ଆରମ୍ଭ ହୋଇଥିବା ବେଳେ ସେହି ସମୟରୁ କ୍ରୋମାଇଟ୍‌ ଚୋରି ଓ ବାଟମାରଣା ଚାଲିଥିବା ଅଭିଯୋଗ ରହିଛି। କାଳିଆପାଣି ଖଣି ଅଞ୍ଚଳରୁ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନ ସହ ବିଦେଶକୁ ଖଣିଜ ପରିବହନ ବେଳେ ଚୋରି ହେଉଥିବା ଅଭିଯୋଗ ହେଉଛି।

ଖଣି ବିଭାଗ ଚୋରା ଡିପୋ ଠାବ କରି ମାମଲାକୁ ପୁଲିସକୁ ହସ୍ତାନ୍ତର କରୁଛି। କିନ୍ତୁ ଏହି ଦୀର୍ଘକାଳୀନ କାରବାର ପଛରେ ଥିବା ମୁଖ୍ୟ କାର୍ପଟଦାର ଓ ମାଫିଆଙ୍କ ନିକଟରେ ପୁଲିସ ପହଞ୍ଚିପାରୁନଥିବା ନେଇ ପ୍ରଶ୍ନ ଉଠିଛି। ଚୋରା କାରବାରରେ ସଂପୃକ୍ତ ଲୋକଙ୍କ ଆର୍ଥିକ ପ୍ରଭାବ ଓ ପ୍ରତିପତ୍ତିକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ବିଭିନ୍ନ ସ୍ଥାନରୁ ଶହ ଶହ ଟନ୍‌ କ୍ରୋମାଇଟ୍‌ ଜବତ

ଚଳିତ ବର୍ଷ ଜୁନ୍‌ ୨୪ ତାରିଖରେ ସୁକିନ୍ଦା ଥାନାଠାରୁ ପ୍ରାୟ ଏକ କିଲୋମିଟର ଦୂର କେନ୍ଦୁଢିପି ଗାଁର ଏକ ଚୋରା ଡିପୋରୁ ଖଣି ବିଭାଗ ୫୦୦ ମେଟ୍ରିକ୍‌ ଟନ୍‌ କ୍ରୋମାଇଟ୍‌ ଜବତ କରିଥିଲା। ଏହାର କିଛି ଦିନ ପୂର୍ବରୁ ସେହି ଡିପୋରେ ଥିବା ୨୦୦ ଟନ୍‌ରୁ ଅଧିକ କ୍ରୋମାଇଟ୍‌ ମାଫିଆମାନେ ଉଠାଇ ନେଇଥିବା ଅଭିଯୋଗ ରହିଛି।

ସେହିପରି ଫେବ୍ରୁଆରି ୨୦ ତାରିଖରେ ଟମକା ଥାନା ଅନ୍ତର୍ଗତ କଅଁସ ଗାଁ ନିକଟରେ ଏକ ବଡ଼ ଚୋରା ଡିପୋ ଠାବ ହୋଇଥିଲା। ରାତିରେ କ୍ରୋମାଇଟ୍‌ ଚୋରା ଚାଲାଣ ହେଉଥିବା ସନ୍ଦେହରେ ସ୍ଥାନୀୟ ଲୋକେ ଟମକା ଛକରେ ଏକ କ୍ରୋମାଇଟ୍‌ ବୋଝେଇ ହାଇୱାକୁ ଅଟକାଇଥିଲେ। ଏହାପରେ ଗାଁ ନିକଟ ଜଙ୍ଗଲିଆ ସ୍ଥାନରେ ପୋତା ହୋଇ ରହିଥିବା ୫୦୦ ମେଟ୍ରିକ୍‌ ଟନ୍‌ରୁ ଅଧିକ କ୍ରୋମାଇଟ୍‌ ଠାବ ହୋଇଥିଲା।

ଗତବର୍ଷ ସେପ୍ଟେମ୍ବର ୧୮ ତାରିଖରେ ସୁକିନ୍ଦା ଥାନାଠାରୁ ପ୍ରାୟ ୩ କିଲୋମିଟର ଦୂର ମଙ୍ଗଳପୁର ଗାଁର ଏକ ଚୋରା ଡିପୋରୁ ୭୦ ଟନ୍‌ କ୍ରୋମାଇଟ୍‌ ଜବତ ହୋଇଥିଲା। ଏହାବ୍ୟତୀତ କାଳିଆପାଣି ଥାନା ଅଞ୍ଚଳର ଓଏମ୍‌ସି କ୍ରୋମାଇଟ୍‌ ବ୍ଲକ୍‌-୧ରୁ ଚୋରି ଅଭିଯୋଗରେ ମେ’ ୨୮ ତାରିଖରେ ଏକ ଜେସିବି ଓ କ୍ରୋମାଇଟ୍‌ ବୋଝେଇ ହାଇୱା ଜବତ ହୋଇଥିଲା। ତଦନ୍ତ ସମୟରେ ସେଠାରୁ ପ୍ରାୟ ୨ ହଜାର ମେଟ୍ରିକ୍‌ ଟନ୍‌ରୁ ଅଧିକ କ୍ରୋମାଇଟ୍‌ ଚୋରି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା।

ପୁରୁଣା ଘଟଣାରେ ମଧ୍ୟ ବିପୁଳ ପରିମାଣର ଜବତ

୨୦୨୬ ମାର୍ଚ୍ଚ ୪ ତାରିଖରେ କାଳିଆପାଣି ଖଣିଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ପରିତ୍ୟକ୍ତ ପୁରୁଣା ଟାଟା-୧ ଖଣିରୁ ୯ ଟନ୍‌ ଚୋରା କ୍ରୋମାଇଟ୍‌ ଜବତ ହୋଇଥିଲା। ୨୦୨୪ ଅକ୍ଟୋବର ୨ରେ ପାଣିକୋଇଲିର ଏକ ଚୋରା ଡିପୋରୁ ୨୧ ଟନ୍‌ କ୍ରୋମାଇଟ୍‌ ଜବତ କରାଯାଇଥିଲା।

ଏହା ପୂର୍ବରୁ ୨୦୨୩ରେ କାମାକ୍ଷାନଗର ଥାନା ଅଞ୍ଚଳର ବାଲିସାହି ମେଣ୍ଢାଶାଳ ଗାଁରୁ ୮୫ ଟନ୍‌ କ୍ରୋମାଇଟ୍‌ ଜବତ ହୋଇଥିଲା। ୨୦୨୨ ଜୁଲାଇ ୨୬ରେ ମଙ୍ଗୁଳି ଛକର ଏକ ପରିତ୍ୟକ୍ତ ଡିପୋରୁ ୩୦୦ ଟନ୍‌ ଏବଂ ସେହି ମାସ ୧୬ ତାରିଖରେ ଖୋର୍ଦ୍ଧା ଶିଳ୍ପାଞ୍ଚଳର ଏକ ଚୋରା ଡିପୋରୁ କ୍ରାଇମ୍‌ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ ୭୩୦.୩୩ ମେଟ୍ରିକ୍‌ ଟନ୍‌ କ୍ରୋମାଇଟ୍‌ ଜବତ କରିଥିଲା।

ମାମଲା ପୁଲିସକୁ ହସ୍ତାନ୍ତର, କିଙ୍ଗପିନ୍‌ଙ୍କ ଟେର୍‌ ମିଳୁନି

ଯାଜପୁର ରୋଡ୍‌ ସର୍କଲର ଖଣି ଉପନିର୍ଦ୍ଦେଶକ ପବିତ୍ର କୁମାର ସାହୁଙ୍କ କହିବା ଅନୁଯାୟୀ, ଚୋରା କ୍ରୋମାଇଟ୍‌ ଡିପୋ ସମ୍ପର୍କରେ ସଂପୃକ୍ତ ଥାନାରେ ଏତଲା ଦିଆଯିବା ସହ ପୁଲିସକୁ ସବିଶେଷ ତଥ୍ୟ ହସ୍ତାନ୍ତର କରାଯାଏ। ପରବର୍ତ୍ତୀ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପୁଲିସର ଦାୟିତ୍ୱ।

ତେବେ ବାରମ୍ବାର ଚୋରା ଡିପୋ ଠାବ ଓ ଖଣିଜ ଜବତ ହେଉଥିଲେ ମଧ୍ୟ ଏହି ବେଆଇନ କାରବାରର ମୁଖ୍ୟ ସୂତ୍ରଧରଙ୍କ ପର୍ଯ୍ୟନ୍ତ ତଦନ୍ତ ପହଞ୍ଚୁନଥିବା ନେଇ ପ୍ରଶ୍ନ ଉଠୁଛି। ଚୋରା କ୍ରୋମାଇଟ୍‌ କାରବାରରେ ସଂପୃକ୍ତ ସମସ୍ତଙ୍କୁ ଚିହ୍ନଟ କରିବା ସହ ଏହାର ଆର୍ଥିକ ନେଟୱର୍କ ଉପରେ ତଦନ୍ତ କରିବା ଏବେ ଜରୁରୀ ହୋଇପଡ଼ିଛି।