ଭୁବନେଶ୍ୱର: ଲଗାତାର ହ୍ରାସ ପରେ ସୁନା ଦରରେ ପୁଣି ବୃଦ୍ଧି ଦେଖାଦେଇଛି। ଗତ ଦୁଇ ଦିନ ଧରି ସୁନା ମୂଲ୍ୟ ଉପରମୁହାଁ ହୋଇଥିବା ବେଳେ ରୁପା ଦର ମଧ୍ୟ ବଢ଼ିଛି। ନଭେମ୍ବର ୨୭ ତାରିଖରେ ଭୁବନେଶ୍ୱରରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୧,୨୮,୪୦୦ ଟଙ୍କାରେ ପହଞ୍ଚିଛି। ଏହା ଦୁଇ ଦିନରେ ୫,୧୨୦ ଟଙ୍କା ବୃଦ୍ଧି।
ସେହିପରି ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦର ୪,୭୦୦ ଟଙ୍କା ବଢ଼ି ୧,୧୭,୭୦୦ ଟଙ୍କା ହୋଇଛି। ଶୁକ୍ରବାର ଗୋଟିଏ ଦିନରେ ୨୪ କ୍ୟାରେଟ୍ ସୁନା ଦର ୩,୬୦୦ ଟଙ୍କା ଏବଂ ୨୨ କ୍ୟାରେଟ୍ ଦର ୩,୩୦୦ ଟଙ୍କା ବଢ଼ିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ଦେଶରେ ବୃଦ୍ଧିର ପରିମାଣ ଭିନ୍ନ
ଇଣ୍ଡିଆନ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ)ର ବୁଲିଅନ୍ ଦର ଅନୁସାରେ, ଦେଶରେ ସୁନା ଓ ରୁପା ମୂଲ୍ୟରେ ମଧ୍ୟ ଉଠାଣ ହୋଇଛି। ନଭେମ୍ବର ୨୫ର ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦର ୧,୨୧,୦୩୮ ଟଙ୍କା ଥିବାବେଳେ ୨୭ ତାରିଖରେ ଏହାର ଦର ୧,୨୨,୯୮୨ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଏହି ଦୁଇ ଦିନ ମଧ୍ୟରେ ବୃଦ୍ଧି ପ୍ରାୟ ୧,୯୪୪ ଟଙ୍କା।
ଏଠାରେ ଭୁବନେଶ୍ୱରର ଖୁଚୁରା ବଜାର ଦର ଓ ଆଇବିଜେଏର ବୁଲିଅନ୍ ଦର ମଧ୍ୟରେ ପାର୍ଥକ୍ୟ ରହିଛି। ତେଣୁ ଦୁଇଟି ଦରକୁ ଏକାଠି ତୁଳନା କରିବା ଉଚିତ ନୁହେଁ। ଆଇବିଜେଏ ଦରରେ ଜିଏସ୍ଟି ଓ ଅଳଙ୍କାର ଗଢ଼ା ମଜୁରି ଅନ୍ତର୍ଭୁକ୍ତ ନୁହେଁ।
ରୁପା ଦର ମଧ୍ୟ ବଢ଼ିଛି। ଭୁବନେଶ୍ୱରରେ କିଲୋଗ୍ରାମ ପିଛା ରୁପା ଦର ୫,୦୦୦ ଟଙ୍କା ବଢ଼ି ୧,୭୦,୦୦୦ ଟଙ୍କା ହୋଇଛି।
କାହିଁକି ବଢ଼ୁଛି ସୁନା ଦର?
ସାମ୍ପ୍ରତିକ ଦର ହ୍ରାସ ପରେ ନିବେଶକଙ୍କ ପକ୍ଷରୁ କମ୍ ଦାମରେ ସୁନା କିଣିବା ବା ବାର୍ଗେନ୍ ବାୟିଂ ବୃଦ୍ଧି ପାଇଥିବାରୁ ଏହି ଉଠାଣ ହୋଇଥିବା ବଜାର ବିଶ୍ଳେଷଣରେ କୁହାଯାଇଛି। ଆମେରିକାରେ ଥ୍ୟାଙ୍କସଗିଭିଂ ଛୁଟି ଯୋଗୁଁ ବିଶ୍ୱ ବଜାରରେ କାରବାର ମାତ୍ରା କମ୍ ରହିବା ମଧ୍ୟ ବିକ୍ରି ଚାପ କମାଇବାରେ ସହାୟକ ହୋଇଥିଲା।
ତେବେ ସୁନା ଦରର ଏହି ପୁନରୁଦ୍ଧାର ସ୍ଥାୟୀ ହେବ କି ନାହିଁ, ତାହା ଏବେ କହିବା କଷ୍ଟକର। ଆମେରିକାର ସୁଧହାର ନୀତି, ଡଲାରର ମୂଲ୍ୟ, ଅନ୍ତର୍ଜାତୀୟ ବଜାରରେ ସୁନା ଦର ଏବଂ ଟଙ୍କା-ଡଲାର ବିନିମୟ ମୂଲ୍ୟ ଆଗକୁ ଦରକୁ ପ୍ରଭାବିତ କରିପାରେ।




