ରାୟଗଡ଼ା: ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସିଜିମାଳି ଅଞ୍ଚଳରେ ଆଦିବାସୀଙ୍କ ଅଧିକାର ଉଲ୍ଲଂଘନ ଏବଂ ପୁଲିସର ଅତ୍ୟାଚାର ଅଭିଯୋଗକୁ ନେଇ ତତ୍ପର ହୋଇଛି ଜାତୀୟ ଅନୁସୂଚିତ ଜନଜାତି ଆୟୋଗ (NCST)। ଏହି ମାମଲାର ଶୁଣାଣି ପାଇଁ ବିଜେଡିର ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ଡକାଯାଇଥିବା ବେଳେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କ ସମେତ ୮ ଜଣ ବରିଷ୍ଠ ଅଧିକାରୀଙ୍କୁ ସମନ ଜାରି ହୋଇଛି।
ଆସନ୍ତା ଡିସେମ୍ବର ୨ ତାରିଖ ଅପରାହ୍ନ ୪ଟାରେ ନୂଆଦିଲ୍ଲୀସ୍ଥିତ ଲୋକନାୟକ ଭବନରେ ଆୟୋଗଙ୍କ କାର୍ଯ୍ୟାଳୟରେ ଏହି ଶୁଣାଣି ହେବ। ଆୟୋଗର ସଦସ୍ୟ ଜଟୋଥୁ ହୁସେନ ମାମଲାର ଶୁଣାଣି କରିବେ।
କେଉଁ ୮ ଅଧିକାରୀଙ୍କୁ ସମନ?
ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ନିମ୍ନଲିଖିତ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ହାଜର ହେବେ।
- ଓଡ଼ିଶାର ମୁଖ୍ୟ ଶାସନ ସଚିବ
- ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ
- ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ
- ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ (DGP)
- ରାୟଗଡ଼ା ଜିଲ୍ଲାପାଳ
- କଳାହାଣ୍ଡି ଜିଲ୍ଲାପାଳ
- ରାୟଗଡ଼ା ଏସ୍ପି
- କଳାହାଣ୍ଡି ଏସ୍ପି
ସମସ୍ତ ଅଧିକାରୀଙ୍କୁ ମାମଲା ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ, ମୂଳ ରେକର୍ଡ ଓ ଆବଶ୍ୟକୀୟ ଦସ୍ତାବିଜ ସହ ହାଜର ହେବାକୁ କୁହାଯାଇଛି।
ଆଦିବାସୀଙ୍କ ଅଭିଯୋଗକୁ ନେଇ ତଦନ୍ତ
କଳାହାଣ୍ଡି ଜିଲ୍ଲାର ତାଳମପଦର ଗ୍ରାମର ରୀନା ମାଝୀ ଓ ଅନ୍ୟମାନଙ୍କ ପକ୍ଷରୁ ଆୟୋଗଙ୍କ ନିକଟରେ ଏକ ଅଭିଯୋଗ ଦାଖଲ ହୋଇଥିଲା। ସିଜିମାଳିରେ ପ୍ରସ୍ତାବିତ ଖଣି ପ୍ରକଳ୍ପକୁ ବିରୋଧ କରୁଥିବା ଆଦିବାସୀ ଗ୍ରାମବାସୀ ଓ ସମୁଦାୟର ନେତାମାନଙ୍କୁ ନିରନ୍ତର ହଇରାଣ, ଧମକଚମକ ଦିଆଯାଉଥିବା ଏବଂ ସେମାନଙ୍କ ମାନବାଧିକାର ଓ ସାମ୍ବିଧାନିକ ଅଧିକାର ଉଲ୍ଲଂଘନ ହେଉଥିବା ଏଥିରେ ଅଭିଯୋଗ କରାଯାଇଛି।
ଏହି ଅଭିଯୋଗକୁ ଆଧାର କରି ଆୟୋଗ ମାମଲାର ତଦନ୍ତ ଓ ଶୁଣାଣି ଆରମ୍ଭ କରିଛି। ତେବେ ଏହି ଅଭିଯୋଗଗୁଡ଼ିକ ଏଯାଏ ପ୍ରମାଣିତ ହୋଇନାହିଁ।
ସସ୍ମିତ ପାତ୍ରଙ୍କ ପକ୍ଷରୁ ତିନି ପର୍ଯ୍ୟାୟରେ ଦସ୍ତାବିଜ ଦାଖଲ
ସାଂସଦ ଡ. ସସ୍ମିତ ପାତ୍ର ଏହି ପ୍ରସଙ୍ଗରେ ୨୦୨୬ ଏପ୍ରିଲ ୧୨ ଓ ୨୦ ତାରିଖରେ ଆୟୋଗଙ୍କ ନିକଟରେ ଦୁଇଟି ଅଭିଯୋଗପତ୍ର ଦାଖଲ କରିଥିଲେ। ପରେ ଅଗଷ୍ଟ ୨୫ ତାରିଖରେ ସେ ୩୭ ପୃଷ୍ଠାର ଏକ ବିସ୍ତୃତ ସାମ୍ବିଧାନିକ ଓ ଆଇନଗତ ଦଲିଲ ମଧ୍ୟ ଦାଖଲ କରିଥିଲେ।
ଏଥିରେ ସିଜିମାଳି ଅଞ୍ଚଳରେ କଥିତ ପୁଲିସ ଅତ୍ୟାଚାର, ଆଦିବାସୀଙ୍କୁ ଧମକ ଓ ହଇରାଣ କରାଯିବା ସହ ସେମାନଙ୍କ ଆଇନଗତ ଅଧିକାର ଉଲ୍ଲଂଘନ ନେଇ ଅଭିଯୋଗ ଉଠାଯାଇଥିଲା।
ସମନ ଅମାନ୍ୟ କଲେ ସିଭିଲ୍ କୋର୍ଟ କ୍ଷମତା ପ୍ରୟୋଗ କରିପାରିବ ଆୟୋଗ
ଭାରତୀୟ ସମ୍ବିଧାନର ଧାରା ୩୩୮-ଏ ଅନୁଯାୟୀ ଜାତୀୟ ଅନୁସୂଚିତ ଜନଜାତି ଆୟୋଗକୁ ତଦନ୍ତ ଓ ଶୁଣାଣି ସମୟରେ କେତେକ ସିଭିଲ୍ କୋର୍ଟ କ୍ଷମତା ମିଳିଛି। ଏହାର ଉପଧାରା ୮ ଅନୁଯାୟୀ, ଆୟୋଗ ସମନ ଜାରି କରି ବ୍ୟକ୍ତିଙ୍କ ଉପସ୍ଥିତି ସୁନିଶ୍ଚିତ କରିପାରିବ ଏବଂ ଆବଶ୍ୟକ ଦସ୍ତାବିଜ ମଗାଇପାରିବ।
ସମନ ପାଇଥିବା ଅଧିକାରୀମାନେ ହାଜର ନହେଲେ ଆୟୋଗ ଏହି ସାମ୍ବିଧାନିକ କ୍ଷମତା ପ୍ରୟୋଗ କରିପାରିବ ବୋଲି ନୋଟିସ୍ରେ ସ୍ପଷ୍ଟ କରାଯାଇଛି। ଡିସେମ୍ବର ୨ର ଶୁଣାଣିରେ ସିଜିମାଳି ଆଦିବାସୀଙ୍କ ଅଭିଯୋଗ ଉପରେ ସରକାରୀ ପକ୍ଷର ଜବାବ ଓ ଦସ୍ତାବିଜ ଯାଞ୍ଚ ହେବ।




