ଶିଲଂ: ମେଘାଳୟର ରାଜନୀତିରେ ବଡ଼ ଉଥଳାପଥଳା ଦେଖାଦେଇଛି। ବିଜେପି ନେତୃତ୍ୱାଧୀନ ଏହି ସରକାରରେ ୧୨ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣ ହଠାତ୍ ଇସ୍ତଫା ଦେଇଛନ୍ତି। ଅର୍ଥାତ୍, ୬୬ ପ୍ରତିଶତ ମନ୍ତ୍ରୀମାନେ ପଦ ଛାଡ଼ିଛନ୍ତି।
ଇସ୍ତଫାଦାତାମାନଙ୍କ ମଧ୍ୟରେ ଏନପିପିର ଆମ୍ପାରେନ୍ ଲିଙ୍ଗଡୋହ, କମିଙ୍ଗ୍ନ ୟାମ୍ବନ୍, ରକ୍କମ୍ ଏ. ସାଙ୍ଗମା ଓ ଆବୁ ତାହିର ମଣ୍ଡଳ; ୟୁଡିପିର ପଲ ଲିଙ୍ଗଡୋହ ଓ କିରମେନ୍ ଶାଇଲା; ଏଚଏସପିଡିପିର ଶାକଲିୟାର ୱାର୍ଜରୀ ଏବଂ ବିଜେପିର ଏ.ଏଲ. ହେକ୍ ରହିଛନ୍ତି।
ଏହି ପଦତ୍ୟାଗ କ୍ୟାବିନେଟ୍ ପୁନର୍ଗଠନ ପୂର୍ବରୁ ଘଟିଛି। ମେଘାଳୟରେ ବର୍ତ୍ତମାନ କନରାଡ ସାଙ୍ଗମା ନେତୃତ୍ୱାଧୀନ ନ୍ୟାସନାଲ ପିପୁଲ୍ସ ପାର୍ଟି (NPP) ର ସରକାର ଅଛି, ଯାହା “ମେଘାଳୟ ଡେମୋକ୍ରାଟିକ୍ ଆଲାଏନ୍ସ” ର ଅନ୍ତର୍ଗତ ଅନେକ ଦଳକୁ ନେଇ ଗଠିତ ହୋଇଛି।
୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ କେବଳ ୧୨ ଜଣକୁ ମନ୍ତ୍ରୀ କରାଯାଇପାରେ। କିନ୍ତୁ ୮ ଜଣଙ୍କ ଇସ୍ତଫା ପରେ ବର୍ତ୍ତମାନ କେବଳ ୪ ଜଣ ମନ୍ତ୍ରୀ ରହିଛନ୍ତି।
ସୂତ୍ରମାନଙ୍କ ଅନୁସାରେ, ନୂତନ ମୁହଁମାନଙ୍କୁ ସୁଯୋଗ ଦେବା, ଗଠବନ୍ଧନରେ ସନ୍ତୁଳନ ରଖିବା ଏବଂ ସମସ୍ତ ବର୍ଗକୁ ପ୍ରତିନିଧିତ୍ୱ ଦେବା ନିମନ୍ତେ ଏହି ବଡ଼ ଅଦଳବଦଳ କରାଯାଉଛି।
ନୂତନ ମନ୍ତ୍ରୀମାନେ ମଙ୍ଗଳବାର ସନ୍ଧ୍ୟା ୫ଟାରେ ରାଜଭବନରେ ଶପଥ ନେବେ। ସମ୍ଭାବ୍ୟ ନୂତନ ମନ୍ତ୍ରୀମାନଙ୍କ ମଧ୍ୟରେ NPPର ଭାଲାଡମିକି ଶିଲା, ସୋସ୍ଥେନସ୍ ସୋହତୁନ୍, ବ୍ରେନିଂ ଏ. ସାଙ୍ଗମା ଏବଂ ଟିମୋଥି ଡି. ଶିରାଙ୍କ ନାମ ରହିଛି। ସେହିପରି, UDPର ମେଟବାହ ଲିଙ୍ଗଡୋହ ଓ ଲଖମେନ୍ ରିମ୍ବୁଇ, HSPDPର ମେଥୋଡିୟସ୍ ଡଖାର ଏବଂ BJPର ସାନବୋର ଶୁଲାଇଙ୍କୁ ମଧ୍ୟ କ୍ୟାବିନେଟ୍ରେ ସ୍ଥାନ ମିଳିବ ବୋଲି ଖବର ମିଳିଛି।