ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ପ୍ରଶ୍ନକାଳରେ ପୂର୍ବ ସରକାରଙ୍କ ସମୟରେ କାର୍ଯ୍ୟକାରୀ ହୋଇଥିବା ‘ଫାଇଭ୍-ଟି (5T) ସ୍କୁଲ ରୂପାନ୍ତରଣ ଯୋଜନା’ରେ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ଉଠିଛି। ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ଗୃହରେ ଏହି ପ୍ରସଙ୍ଗ ଉଠାଇ ସ୍କୁଲ ଭିତ୍ତିଭୂମି ବିକାଶ ପାଇଁ ଆସିଥିବା ଅନୁଦାନର ସଠିକ୍ ବିନିଯୋଗ ହୋଇନଥିବା ଅଭିଯୋଗ କରିଛନ୍ତି। ବିଧାୟକଙ୍କ ଅଭିଯୋଗ ଓ ଦାବିକୁ ଗ୍ରହଣ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରେ କୌଣସି ଅନିୟମିତତା ସାମ୍ନାକୁ ଆସିଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଗୃହରେ ସ୍ପଷ୍ଟ କରିଛନ୍ତି।

ବିଧାନସଭା ପ୍ରଶ୍ନକାଳ ସମୟରେ ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି ଯେ, ପୂର୍ବ ସରକାର ସମୟରେ 5T ଯୋଜନା ଅଧୀନରେ ସ୍କୁଲଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥର ସଠିକ୍ ହିସାବ ମିଳୁନାହିଁ। ସ୍କୁଲ ଭିତ୍ତିଭୂମି ବିକାଶ ପାଇଁ ମଞ୍ଜୁର ହୋଇଥିବା ଅର୍ଥ ଠିକ୍ ଭାବେ ଖର୍ଚ୍ଚ ନହୋଇ ବ୍ୟାପକ ଅନିୟମିତତା ହୋଇଥିବା ସେ ଅଭିଯୋଗ ଆଣିବା ସହ ଏହାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଥିଲେ।

ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହକୁ ସୂଚନା ଦେଇଛନ୍ତି ଯେ, 5T ସ୍କୁଲ ରୂପାନ୍ତରଣ ଯୋଜନାରେ ସିଏସ୍‌ଆର୍ (CSR), ଓମ୍‌ବାଡ୍‌ସି (OMBADC) ଫଣ୍ଡ ଏବଂ ମନରେଗା (MGNREGA) ପାଣ୍ଠିର ଅର୍ଥ ବ୍ୟବହାର କରାଯାଇଥିଲା। ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ଏହି ଯୋଜନାରେ ମୋଟ ୩୮୭ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧୭୦୬ କୋଟି ୩୧ ଲକ୍ଷ ଟଙ୍କାର ୟୁଟିଲାଇଜେସନ୍ ସାର୍ଟିଫିକେଟ୍ (UC) ଦାଖଲ ହୋଇଥିବା ଦର୍ଶାଯାଇଛି। ତେବେ ପ୍ରକୃତରେ କେତେ ଟଙ୍କାର UC ଦାଖଲ ହୋଇଛି, ସେ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ସଂଗ୍ରହ କରାଯାଇ ପାରିନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆହୁରି କହିଛନ୍ତି ଯେ, ରାଜ୍ୟରେ ନୂଆ ସରକାର ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ବିକାଶ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ପୂର୍ବ ସରକାର ସମୟରେ 5T ସ୍କୁଲ ରୂପାନ୍ତରଣ ପାଇଁ ଆସିଥିବା ଅର୍ଥ କେଉଁଠି, କେଉଁ ବାବଦରେ ଏବଂ କିପରି ଖର୍ଚ୍ଚ ହୋଇଛି, ତାହାର ସମ୍ପୂର୍ଣ୍ଣ ହିସାବ ଯାଞ୍ଚ କରାଯିବ। ତଦନ୍ତ ଶେଷ ହେବା ପରେ ଯଦି କୌଣସି ଆର୍ଥିକ ଅନିୟମିତତା ବା ହେରଫେର ପ୍ରମାଣିତ ହୁଏ, ତେବେ ଏଥିପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।