ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହାଅନୁସାରେ, ଏବେ ଇଭିଏମ ବାଲଟ୍ ପେପରରେ ପ୍ରାର୍ଥୀଙ୍କ କଳାଧଳା ଫଟୋ ପରିବର୍ତ୍ତେ ରଙ୍ଗୀନ ଫଟୋ ଦେଖାଯିବ। ପ୍ରଥମେ ବିହାରରେ ଏହି ପ୍ରକ୍ରିୟା ପ୍ରୟୋଗ କରାଯିବ, ପରେ ଅନ୍ୟ ରାଜ୍ୟରେ ମଧ୍ୟ ଏହାକୁ ଲାଗୁ କରାଯିବ।

ନୂତନ ଗାଇଡଲାଇନ୍‌ ଅନୁସାରେ, ବାଲଟ୍ ପେପରରେ ପ୍ରାର୍ଥୀଙ୍କ ମୁହଁର ରଙ୍ଗୀନ ଫଟୋ ତିନି-ଚତୁର୍ଥାଂଶ ସ୍ଥାନ ଦଖଲ କରିବ। ଏହା ଭୋଟରଙ୍କ ପାଇଁ ପ୍ରାର୍ଥୀଙ୍କୁ ସହଜରେ ପରିଚୟ କରିବାରେ ସହାୟକ ହେବ। ସେହିପରି, ପ୍ରାର୍ଥୀଙ୍କ କ୍ରମିକ ସଂଖ୍ୟାକୁ ମଧ୍ୟ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରାଯିବ।

ନିର୍ବାଚନ କମିଶନର କହିବା ଅନୁସାରେ, ଏହି ପଦକ୍ଷେପ ଭୋଟିଂ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସହଜ କରିବ। ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପରୀକ୍ଷାତ୍ମକ ବ୍ୟବସ୍ଥା ଆରମ୍ଭ କରାଯାଉଛି, ଯାହା ସଫଳ ହେଲେ ଦେଶର ଅନ୍ୟାନ୍ୟ ନିର୍ବାଚନରେ ମଧ୍ୟ ପ୍ରୟୋଗ କରାଯିବ।