ନୂଆଦିଲ୍ଲୀ, ୧୭ ଅକ୍ଟୋବର: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ବେଲଜିଅମର ଆଣ୍ଟୱେର୍ପ କୋର୍ଟ ଅନୁମତି ଦେଇଛି। ଏହି ରାୟ ଅନୁଯାୟୀ, ବେଲଜିଅମ ପୁଲିସ ଦ୍ୱାରା ଚୋକ୍ସିଙ୍କ ଗିରଫ ବୈଧ ବୋଲି ମନାଗଲା। ତେବେ, ଚୋକ୍ସି ଏହି ନିଷ୍ପତ୍ତି ବିରୋଧରେ ଉଚ୍ଚ ଅଦାଲତରେ ଆପିଲ କରିପାରିବେ, ଯାହା ଫଳରେ ତାଙ୍କ ପ୍ରତ୍ୟର୍ପଣ ତୁରନ୍ତ ହେବ ନାହିଁ।
୨୦୨୫ ଏପ୍ରିଲ ୧୧ ତାରିଖରେ ଭାରତୀୟ ଅଧିକାରୀଙ୍କ ଅନୁରୋଧରେ ଆଣ୍ଟୱେର୍ପ ପୁଲିସ ଚୋକ୍ସିଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ବେଲଜିଅମ ଜେଲରେ ଅଟକ ରହିଛନ୍ତି ଏବଂ ପଳାୟନ ଆଶଙ୍କା ଥିବାରୁ ତାଙ୍କର ବେଲ ଆବେଦନ ବାରମ୍ବାର ଖାରଜ ହୋଇଛି।
କୋର୍ଟରେ ଭାରତ ପକ୍ଷରେ ବେଲଜିଅମ ପ୍ରୋସିକ୍ୟୁସନ ଓ ଚୋକ୍ସିଙ୍କ ଆଇନଜୀବୀଙ୍କ ମଧ୍ୟରେ ହୋଇଥିବା ଯୁକ୍ତି-ତର୍କ ପରେ ଏହି ରାୟ ଦିଆଯାଇଛି। ଚୋକ୍ସିଙ୍କ ବିରୋଧରେ ଭାରତରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ବିଶ୍ୱାସଭଙ୍ଗ, ପ୍ରମାଣ ନଷ୍ଟ ଓ ଦୁର୍ନୀତି ସହିତ ଜଡିତ ମାମଲା ରହିଛି, ଯାହା ବେଲଜିଅମ ଆଇନ ଅନୁଯାୟୀ ମଧ୍ୟ ଦଣ୍ଡନୀୟ ଅପରାଧ।
ଭାରତ ସରକାର ଚୋକ୍ସିଙ୍କୁ ଭାରତୀୟ ଦଣ୍ଡବିଧିର ଧାରା ୧୨୦ବି, ୨୦୧, ୪୦୯, ୪୨୦, ୪୭୭ଏ ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୭ ଓ ୧୩ ଅଧୀନରେ ଅଭିଯୁକ୍ତ କରିଛି। ସିବିଆଇ ତିନିଥର ବେଲଜିଅମ ଯାଇ ଆବଶ୍ୟକ ପ୍ରମାଣ ଦାଖଲ କରିଥିଲା ଏବଂ ଏହି ମାମଲା ପାଇଁ ଏକ ଇଉରୋପୀୟ ଲ ଫାର୍ମକୁ ନିୟୋଜିତ କରିଥିଲା।
ଭାରତ ବେଲଜିଅମ ଅଧିକାରୀଙ୍କୁ ଆଶ୍ୱାସନା ଦେଇଛି ଯେ ପ୍ରତ୍ୟର୍ପଣ ପରେ ଚୋକ୍ସିଙ୍କୁ ମୁମ୍ବାଇର ଆର୍ଥର ରୋଡ଼ ଜେଲର ବ୍ୟାରାକ ନମ୍ବର ୧୨ରେ ରଖାଯିବ, ଯାହା ଇଉରୋପୀୟ ମାନବାଧିକାର ମାନଦଣ୍ଡ ପୂରଣ କରେ। ତାଙ୍କ ପାଇଁ ପାଣି, ଖାଦ୍ୟ, ଖବରକାଗଜ, ଟେଲିଭିଜନ ଓ ଚିକିତ୍ସା ସୁବିଧା ଉପଲବ୍ଧ ରହିବ।
୧୩,୦୦୦ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଠକେଇ ମାମଲାରେ ମେହୁଲ ଚୋକ୍ସି ଅଭିଯୁକ୍ତ ଅଛନ୍ତି। ୨୦୧୮ରେ ସେ ଠକେଇ ଓ ମନି ଲଣ୍ଡରିଂ ଅଭିଯୋଗରେ ଭାରତ ଛାଡ଼ି ପଳାଇଥିଲେ।





