ପାଟନା, ୨୬ ଅକ୍ଟୋବର: ବିହାର ନିର୍ବାଚନ ଅଭିଯାନ ମଧ୍ୟରେ ରବିବାର ତେଜସ୍ୱୀ ଯାଦବ ଏକ ବଡ଼ ବକ୍ତବ୍ୟ ଦେଇଛନ୍ତି। ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତେଜସ୍ୱୀ କହିଛନ୍ତି — “ଯଦି ଇଣ୍ଡିଆ ମେଣ୍ଟ ବିହାରରେ କ୍ଷମତାକୁ ଆସିବ, ଆମେ ୱାକଫ (ସଂଶୋଧନ) ଆଇନକୁ ଡଷ୍ଟବିନ୍ରେ ଫିଙ୍ଗିଦେବୁ।”
ତେଜସ୍ୱୀ ଯାଦବ ରବିବାର କଟିହାର, କିଶନଗଞ୍ଜ ଓ ଆରାରିଆରେ ହୋଇଥିବା ଏକାଧିକ ରାଲିରେ ସାମ୍ପ୍ରଦାୟିକ ସମ୍ପ୍ରିତି ଏବଂ ନୀତିଶ କୁମାର ସରକାର ଉପରେ ଆକ୍ରମଣ କରିଥିଲେ। ସେ କହିଲେ, “ମୋ ପିତା ଲାଲୁ ପ୍ରସାଦ ଯାଦବ କେବେ ସାମ୍ପ୍ରଦାୟିକ ଶକ୍ତି ସହିତ ସମଝୌତା କରିନଥିଲେ, କିନ୍ତୁ ନୀତିଶ କୁମାର ସେମାନଙ୍କୁ ସର୍ବଦା ସମର୍ଥନ କରିଛନ୍ତି। ତାଙ୍କ ଯୋଗୁଁ ଆରଏସଏସ ଓ ବିଜେପି ଭାରତରେ ଘୃଣା ପ୍ରସାର କରୁଛନ୍ତି। ବିଜେପିକୁ ‘ଭାରତ ଜଳାଅ ପାର୍ଟି’ ବୋଲି କହିବା ଉଚିତ।”
ତେଜସ୍ୱୀ ଏହି ରାଲିରେ ସ୍ପଷ୍ଟ କରିଛନ୍ତି ଯେ, ୱାକଫ ଆଇନ ମୁସଲିମ ସମୁଦାୟର ଅଧିକାର ଉପରେ ଅଘାତ ମାରୁଛି, ଏହିକାରଣରୁ ସେ ଆଇନକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିବାର ପକ୍ଷରେ।
ଉଲ୍ଲେଖନୀୟ, ବିଜେପି ନେତୃତ୍ୱାଧୀନ ଏନଡିଏ ଏହି ୱାକଫ ସଂଶୋଧନ ଆଇନକୁ ସମାଜର ପଛୁଆ ମୁସଲିମ ଓ ମହିଳାମାନଙ୍କ ସଶକ୍ତିକରଣ ପାଇଁ ପଦକ୍ଷେପ ବୋଲି ବର୍ଣ୍ଣନା କରୁଛି। କିନ୍ତୁ ବିରୋଧୀ ଶିବିର ଏହାକୁ ମୁସଲିମ ସମୁଦାୟର ଅଧିକାର ଉପରେ ହସ୍ତକ୍ଷେପ ବୋଲି ଆକ୍ଷେପ କରୁଛି।
ଏହି ମଧ୍ୟରେ, ଆରଜେଡି ଏମ୍ଏଲସି ମହମ୍ମଦ କାରୀ ସୋହେବଙ୍କ ଏକ ବିବାଦିତ ବକ୍ତବ୍ୟ ନେଇ ବିଜେପି ପ୍ରଶ୍ନ ଉଠାଇଛି। ସୋହେବ କହିଥିଲେ — “ଯଦି ତେଜସ୍ୱୀ ମୁଖ୍ୟମନ୍ତ୍ରୀ ହେବେ, ୱାକଫ ବିଲ୍ ସମେତ ସମସ୍ତ ବିଲ୍ ଚିରି ଦିଆଯିବ।” ବିଜେପି ପ୍ରଶ୍ନ କରିଛି — “ଏକ ରାଜ୍ୟ ମୁଖ୍ୟମନ୍ତ୍ରୀ କିପରି କେନ୍ଦ୍ରୀୟ ଆଇନକୁ ବଦଳାଇପାରିବେ?”





