ଭୁବନେଶ୍ବର: ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ଅବସରରେ ଦେଶ ଜୁଡ଼ି ଉତ୍ସବମୂଖ ମାହଲ ଦେଖାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଏକ ବର୍ଷବ୍ୟାପୀ ଆୟୋଜନର ଶୁଭାରମ୍ଭ କରିଥିବା ବେଳେ, ଓଡ଼ିଶା ସରକାର ମଧ୍ୟ ଏହି ପର୍ବକୁ ପ୍ରତ୍ୟେକ ଜିଲ୍ଲାରେ ପାଳନ କରିବା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ସାଂସ୍କୃତିକ କେନ୍ଦ୍ରଗୁଡ଼ିକରେ ‘ବନ୍ଦେ ମାତରମ୍’ ଉତ୍ସବ ପାଳନ ହେବ।

‘ବନ୍ଦେ ମାତରମ୍’ ହେଉଛି ରାଷ୍ଟ୍ରପ୍ରେମ ଓ ବୀରତାର ପ୍ରତୀକ:

ଲୋକସେବା ଭବନ ପ୍ରାଙ୍ଗଣରେ ଆୟୋଜିତ ସାମୂହିକ ‘ବନ୍ଦେ ମାତରମ୍’ ଗାନରେ ଅଂଶଗ୍ରହଣ କରି, ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି—

“ବନ୍ଦେ ମାତରମ୍ କେବଳ ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଓ ବୀରତାର ଶକ୍ତିଶାଳୀ ପ୍ରତୀକ। ସ୍ୱାଧୀନତା ସଂଗ୍ରାମ ସମୟରେ ଏହି ଗୀତ ଦେଶବାସୀଙ୍କ ମନରେ ଉତ୍ସାହ ଓ ଜାଗୃତି ସୃଷ୍ଟି କରିଥିଲା।”

ସେ ସମସ୍ତ ସ୍କୁଲ, କଲେଜ ଓ ସଂଗଠନକୁ ଏହି ବର୍ଷବ୍ୟାପୀ ଅଭିଯାନରେ ଅଂଶ ନେବା ପାଇଁ ଆହ୍ୱାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କଥାନୁସାରେ, ଏହି ପର୍ବ ଯୁବପିଢ଼ି ମଧ୍ୟରେ ଦେଶପ୍ରେମର ଅଗ୍ନିକୁ ପୁନଃ ଜାଗୃତ କରିବାରେ ଏକ ସୁଯୋଗ ହେବ ଏବଂ ଭାରତ ମାତାଙ୍କ ଗୌରବକୁ ବିଶ୍ୱ ମଞ୍ଚରେ ପରିବ୍ୟାପ୍ତ କରିବ।

‘ବନ୍ଦେ ମାତରମ୍’ ହେଉଛି ଏକ ପବିତ୍ର ସଂକଳ୍ପ: ମୋଦୀ

ନୂଆଦିଲ୍ଲୀରେ ଆୟୋଜିତ ଆରମ୍ଭ ଅନୁଷ୍ଠାନରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି—

“‘ବନ୍ଦେ ମାତରମ୍’ କେବଳ ଶବ୍ଦ ନୁହେଁ—ଏହା ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ ଓ ଏକ ପବିତ୍ର ସଂକଳ୍ପ। ଏହି ଶବ୍ଦ ଆମକୁ ଆମର ଇତିହାସ ସହିତ ଯୋଡେ ଏବଂ ଆମର ଭବିଷ୍ୟତ ପ୍ରତି ଆତ୍ମବିଶ୍ୱାସ ଦେଇଥାଏ।”

ନଭେମ୍ବର ୭: ଇତିହାସରେ ଏକ ଅବିସ୍ମରଣୀୟ ଦିନ

ପ୍ରଧାନମନ୍ତ୍ରୀ ମୋଦୀ ସାମୂହିକ ଗାନ ଅଭିଜ୍ଞତାକୁ ଏକ “ଏକତାର ସଂଗୀତ” ବୋଲି ବର୍ଣ୍ଣନା କରି କହିଛନ୍ତି ଯେ, ନଭେମ୍ବର ୭ ତାରିଖ ଦେଶର ପାଇଁ ଏକ ଐତିହାସିକ ଦିନ ହେବ। ଏହି ଅବସରରେ ‘ବନ୍ଦେ ମାତରମ୍’ ସ୍ମାରକ ମୁଦ୍ରା ଏବଂ ଡାକ ଟିକେଟ୍ ମଧ୍ୟ ଜାରି କରାଯାଇଛି।