ବେରୁଟ। ଦକ୍ଷିଣ ଲେବାନନର ଆଇନ୍ ଏଲ୍-ହିଲୱେ ପାଲେଷ୍ଟାଇନ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲି ଡ୍ରୋନ୍ ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ଓ ବହୁ ଲୋକ ଆହତ ହୋଇଛନ୍ତି। ରାଜ୍ୟ ପରିଚାଳିତ ଜାତୀୟ ସମାଚାର ଏଜେନ୍ସି ଏବଂ ସରକାରୀ ଅଧିକାରୀମାନେ ଏହି ତଥ୍ୟ ସୂଚିତ କରିଛନ୍ତି। ଗତ ବର୍ଷ ହିଜବୋଲା ସହିତ ଅସ୍ତ୍ରବିରତି ହେବା ପରେ ଲେବାନନ୍ ଉପରେ ଏହାକୁ ସବୁଠାରୁ ଘାତକ ଆକ୍ରମଣ ବୋଲି ବର୍ଣ୍ଣନା କରାଯାଇଛି।
ଜାତୀୟ ସମାଚାର ଏଜେନ୍ସି ଅନୁଯାୟୀ, ସିଡନ୍ ସହର ଉପକଣ୍ଠରେ ଥିବା ଏକ ମସଜିଦ ପାଖରେ ରହୁଥିବା କାରପାର୍କିଂ ସ୍ଥଳୀକୁ ଲକ୍ଷ୍ୟ କରି ଡ୍ରୋନ୍ ଆକ୍ରମଣ କରାଯାଇଥିଲା। ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ ନିଶ୍ଚିତ କରିଛି ଯେ ୧୩ ଜଣ ମୃତ ଓ ଅନେକ ଆହତ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛନ୍ତି। ଆମ୍ବୁଲାନ୍ସ ଦଳ ତତ୍କ୍ଷଣାତ୍ ନିୟୋଜିତହୋଇ ମୃତକ ଓ ଆହତମାନଙ୍କୁ ହସ୍ପିଟାଲକୁ ନେଇଯାଇଛି। ଘଟଣାସ୍ଥଳକୁ ସାମ୍ବାଦିକମାନଙ୍କ ଯାତାୟାତ ହମାସ ଯୋଧ୍ୟାମାନଙ୍କ ଦ୍ୱାରା ଅବରୋଧ କରାଯାଇଛି।
ଇସ୍ରାଏଲର ଦାବି: ‘ହମାସ ତାଲିମ କେନ୍ଦ୍ର’ ଉପରେ ଆକ୍ରମଣ
ଇସ୍ରାଏଲୀ ସେନା ଜଣାଇଛି ଯେ ସେମାନେ ହମାସ ଦ୍ୱାରା ଇସ୍ରାଏଲ ବିରୋଧରେ ଆକ୍ରମଣ ପ୍ରସ୍ତୁତି ପାଇଁ ବ୍ୟବହୃତ ହୋଇଥିବା ଏକ ତାଲିମ କେନ୍ଦ୍ର ଉପରେ ନିଶାନା ଲଗାଇଥିଲେ। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ହମାସ କାର୍ଯ୍ୟଶୀଳ ଥିବା ସମସ୍ତ ସ୍ଥାନରେ ସାମରିକ ଅଭିଯାନ ଜାରି ରହିବ।
ହମାସର ନିନ୍ଦା: ‘ଖେଳ ପଡ଼ିଆ ଉପରେ ଆକ୍ରମଣ’
ହମାସ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରି ଦାବି କରିଛି ଯେ, ଉପରୋକ୍ତ ସ୍ଥାନ ଏକ ତାଲିମ ପରିସର ନୁହେଁ, ବରଂ ଏକ ଖେଳ ପଡ଼ିଆ ଥିଲା। ସଂଗଠନ ଏହି ଆକ୍ରମଣକୁ ନିର୍ଦ୍ଦୋଷ ନାଗରିକଙ୍କ ଉପରେ ହୋଇଥିବା ବୋଲି ଅଭିଯୋଗ କରିଛି।
ଗତ ଦୁଇ ବର୍ଷରେ ଲେବାନନ୍ ଉପରେ ହୋଇଥିବା ବିମାନ ଆକ୍ରମଣରେ ହିଜବୋଲା ଏବଂ ହମାସର ବହୁ ସର୍ବୋଚ୍ଚ ନେତାମାନେ ପ୍ରାଣ ହରାଇଛନ୍ତି। ୨ ଜାନୁଆରୀ ୨୦୨୪ରେ ବେରୁଟ ଦକ୍ଷିଣ ଉପନଗରରେ ହମାସର ଉପ-ରାଜନୈତିକ ମୁଖ୍ୟ ସାଲେହ ଆରୋରି ଡ୍ରୋନ୍ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ।
ଇସ୍ରାଏଲ-ହମାସ ଯୁଦ୍ଧ ପ୍ରସଙ୍ଗ
୭ ଅକ୍ଟୋବର ୨୦୨୩ରେ ହମାସ ଦକ୍ଷିଣ ଇସ୍ରାଏଲ ଉପରେ ଭୟାବହ ଆକ୍ରମଣ କରି ୧୨୦୦ ଜଣଙ୍କ ହତ୍ୟା କରିଥିଲା। ପରେ ଇସ୍ରାଏଲ ଗାଜା ଷ୍ଟ୍ରିପରେ ଯୁଦ୍ଧ ଆରମ୍ଭ କରିଥିଲା, ଯେଉଁଥିରେ ହଜାର ହଜାର ପାଲେଷ୍ଟାଇନୀ ନାଗରିକ ମୃତ୍ୟୁ ହୋଇଥିଲେ।
ଯୁଦ୍ଧ ଆରମ୍ଭ ପରେ ହିଜବୋଲା ମଧ୍ୟ ସୀମାରେ ଥିବା ଇସ୍ରାଏଲୀ ପୋଷ୍ଟଗୁଡ଼ିକ ଉପରେ ରକେଟ୍ ଆକ୍ରମଣ କରିଥିଲା, ଯାହାକୁ ଇସ୍ରାଏଲ ବିମାନ ଆକ୍ରମଣ ଓ ଗୁଳିବର୍ଷା ଦ୍ୱାରା ପ୍ରତିଉତ୍ତର ଦେଇଥିଲା।
୨୦୨୪ ସେପ୍ଟେମ୍ବର ଶେଷରେ ଏହା ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପରିଣତ ହୋଇଥିଲା।
ବିଶ୍ୱ ବ୍ୟାଙ୍କର ରିପୋର୍ଟ: ‘ଚାରି ଦଶକରେ ସବୁଠାରୁ ଭୟଙ୍କର ଯୁଦ୍ଧ’
ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ଲେବାନନରେ ୪,୦୦୦ ରୁ ଅଧିକ ଲୋକ (ଶତାଧିକ ସାଧାରଣ ନାଗରିକ ସମେତ) ପ୍ରାଣ ହରାଇଥିଲେ ଏବଂ ପ୍ରାୟ ୧୧ ବିଲିୟନ୍ ଡଲାରର ସମ୍ପତ୍ତିକ୍ଷତି ହୋଇଥିଲା।
ଇସ୍ରାଏଲରେ ୮୦ ସୈନିକ ସମେତ ୧୨୭ ଜଣ ମୃତ୍ୟୁ ଘଟିଥିଲେ।
୨୦୨୪ ନଭେମ୍ବର ଶେଷରେ ଆମେରିକା ମଧ୍ୟସ୍ଥତାରେ ଅସ୍ତ୍ରବିରତି ହୋଇଥିଲା। କିନ୍ତୁ ଏଥିବାବୁଜୁଡ଼ି ଇସ୍ରାଏଲ ଲେବାନନରେ ଅନେକ ଷ୍ଟ୍ରାଇକ୍ କରୁଛି, ହିଜବୋଲା ପୁଣି କ୍ଷମତା ଗଠନ କରୁଛି ବୋଲି ଦାବି କରି।
ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଅସ୍ତ୍ରବିରତି ପରଠାରୁ ୨୭୦ ରୁ ଅଧିକ ଲୋକ ଇସ୍ରାଏଲୀ ସାମରିକ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୮୫୦ ଜଣ ଆହତ ହୋଇଛନ୍ତି।





