ବାରାଣାସୀ: କାଶୀ-ତାମିଲ ସଙ୍ଗମମ୍ (KTS) ୪.୦ର ଶୁଭାରମ୍ଭ ଆଜି ବାରାଣାସୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହସ୍ତେ ହୋଇଛି। କାଶୀ ଓ ତାମିଲନାଡୁର ଶତାବ୍ଦୀ ପୁରୁଣା ସାଂସ୍କୃତିକ ଏବଂ ଐତିହାସିକ ସମ୍ପର୍କକୁ ନୂତନ ରୂପରେ ଉଜାଗର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି।
ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିବାକୁ ଯାଇ ମନ୍ତ୍ରୀ ପ୍ରଧାନ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନବ କଳ୍ପନାରୁ ଜନ୍ମ ନେଇଥିବା କାଶୀ-ତାମିଲ ସଙ୍ଗମମ୍ ଜ୍ଞାନ, ସଂସ୍କୃତି ଓ ସାହିତ୍ୟର ଏକ ସେତୁ ସୃଷ୍ଟି କରିଛି। ସେହିପରି, ଦୁଇ ଐତିହାସିକ ସଭ୍ୟତାର ସହସ୍ରାବ୍ଦୀ ବର୍ଷର ସମ୍ପର୍କକୁ ଏହା ଆଉ ମଜବୁତ କରିଛି। KTS ଏବେ ଏକ ଶକ୍ତିଶାଳୀ ଜନଆନ୍ଦୋଳନ ଏବଂ ଅନୁଭୂତିଆଧାରିତ ଶିକ୍ଷା ମଞ୍ଚରେ ପରିଣତ ହୋଇଛି।
ମନ୍ତ୍ରୀ ପ୍ରଧାନ ଜଣାଇଥିଲେ ଯେ, “ଭାରତର ବିବିଧତା, ଭାଷା ଓ ସାଂସ୍କୃତିକ ସମୃଦ୍ଧି ହିଁ ଦେଶର ସବୁଠାରୁ ବଡ଼ ଶକ୍ତି। ତେଣୁ ଭାଷାଗତ ଏକତା ଏବଂ ଗୌରବ ବିକାଶ ମଧ୍ୟ KTSର ମୂଳ ଭିତ୍ତି।”
ଏହିବାର KTS ୪.୦ର ମୁଖ୍ୟ ବିଷୟ ‘ତାମିଲ ଶିଖିବା’, ଯାହା ଯୁବମାନଙ୍କୁ ଭାଷା ଓ ଜ୍ଞାନ-ଆଦାନପ୍ରଦାନରେ ଅଧିକ ସଂଲଗ୍ନ କରିବ। ତାମିଲନାଡୁ ବାହାରେ ତାମିଲ ଭାଷା ପ୍ରଚାରରେ ମଧ୍ୟ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବାକୁ ଯାଉଛି। ସହିତେ, ‘ଏକ୍ ଭାରତ, ଶ୍ରେଷ୍ଠ ଭାରତ’ ଧାରଣାକୁ ଆଉ ମଜବୁତ କରିବାରେ ଏହା ଉଲ୍ଲେଖନୀୟ ଭାବେ ଯୋଗଦାନ କରିବ ବୋଲି ମନ୍ତ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।
କାର୍ଯ୍ୟକ୍ରମରେ ତାମିଲନାଡୁର ରାଜ୍ୟପାଳ ଆର.ଏନ. ରବି, ପୁଡୁଚେରିର ଉପରାଜ୍ୟପାଳ କେ. କୈଳାଶନାଥନ, ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଏଲ. ମୁରୁଗନ ସହିତ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ।





