ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସମୃଦ୍ଧ ଓ ଆଧୁନିକ କରିବା ପାଇଁ ସରକାର ନୂତନ ଶିକ୍ଷାନୀତି–୨୦୨୦ ସହ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଓ ‘ଶିଶୁ ବାଟିକା’ ପରି ଦୂରଦର୍ଶୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ମାଧ୍ୟମରେ ପିଲାମାନଙ୍କ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ବ୍ରହ୍ମପୁରସ୍ଥିତ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୨ତମ ବାର୍ଷିକ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଭିଭାବକମାନେ ପିଲାମାନଙ୍କୁ କେବଳ ଡାକ୍ତର କିମ୍ବା ଇଞ୍ଜିନିୟର ହେବାର ଚାପରେ ନ ରଖି, ସେମାନଙ୍କ ଆଗ୍ରହ ଓ ପ୍ରତିଭା ଅନୁଯାୟୀ ଆଗକୁ ବଢ଼ିବାର ସୁଯୋଗ ଦେବା ଉଚିତ। ସେ କହିଥିଲେ, ଆଜିର ବିଦ୍ୟାର୍ଥୀମାନେ ମୋବାଇଲ ଓ ସୋସିଆଲ ମିଡିଆକୁ ସଚେତନ ଓ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟବହାର କରିବା ସହ ନିଜର ମାଟି, ଭାଷା ଓ ସଂସ୍କୃତି ପ୍ରତି ସଦା ସମ୍ମାନ ରଖିବା ଆବଶ୍ୟକ।
ଶିକ୍ଷା, ସଂସ୍କାର ଓ ସମର୍ପଣ ମାଧ୍ୟମରେ ହିଁ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଢ଼ି ଉଠିପାରିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ପ୍ରାରମ୍ଭିକ ଜୀବନରେ ସରସ୍ୱତୀ ଶିଶୁ ମନ୍ଦିରରେ ଆଚାର୍ଯ୍ୟ ଭାବେ କାମ କରିଥିବାରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ତାଙ୍କ ପାଇଁ ଘରକୁ ଫେରିବା ସମାନ ଅନୁଭୂତି ଦେଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାକ୍ତନ ପ୍ରାନ୍ତ ସଂଘଚାଳକ ଶିବରାମ ମହାପାତ୍ରଙ୍କ ନିରନ୍ତର ପ୍ରୟାସରେ ଗଢ଼ିଉଠିଥିବା ଏହି ଶିଶୁ ମନ୍ଦିର ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମୂଳ ଆଧାର କରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି। ଦୀର୍ଘ ୩୫ ବର୍ଷ ଧରି ପିଲାମାନଙ୍କୁ ସୁସଂସ୍କୃତ ଓ ଦାୟିତ୍ୱଶୀଳ ନାଗରିକ ଭାବେ ଗଢ଼ି ତୁଳିବାରେ ଏହି ବିଦ୍ୟାଳୟର ଭୂମିକା ‘ବିକଶିତ ଓଡ଼ିଶା’ ସଂକଳ୍ପକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି।





