ଭୁବନେଶ୍ୱର:

ଆଜି ସାରା ଓଡ଼ିଶାରେ ଓଡ଼ିଶା ଟିଚର୍ ଏଲିଜିବିଲିଟି ଟେଷ୍ଟ୍ (OTET) ଅନୁଷ୍ଠିତ ହେଉଛି। ସୁଚାରୁ ଓ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜ୍ୟର ୪୫୨ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧ ଲକ୍ଷ ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରୁଛନ୍ତି।

ଦୁଇଟି ସିଟିଂରେ OTET ପରୀକ୍ଷା ହେଉଛି। ସକାଳ ୯ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ସାଢେ ୧ଟାରୁ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ଆୟୋଜିତ ହେଉଛି।

ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏଥିରେ ମୋଟ ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ଅଂଶ ନେଉଛନ୍ତି। ଏହାମଧ୍ୟରେ ଇନ୍-ସର୍ଭିସ୍ ଓ ଆଶାୟୀ—ଦୁହେଁ ପ୍ରକାର ଶିକ୍ଷକ-ଶିକ୍ଷୟିତ୍ରୀ ରହିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୨୨ ହଜାର ୯୭୯ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟ ଏହି ପରୀକ୍ଷା ଦେଉଛନ୍ତି।

OTET ପେପର-୧ ପାଇଁ ୪୭ ହଜାର ୭୨୦ ଜଣ ଏବଂ ପେପର-୨ ପାଇଁ ୧ ଲକ୍ଷ ୧୨ ହଜାର ୬୫୯ ଜଣ ପରୀକ୍ଷାର୍ଥୀ ନାମଲେଖା କରିଛନ୍ତି।

ପରୀକ୍ଷାର ସ୍ୱଚ୍ଛତା ଓ ସୁରକ୍ଷା ଦୃଷ୍ଟିରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥାରେ ଯୋଡ଼ାଯାଇଛି। ବୋର୍ଡ କାର୍ଯ୍ୟାଳୟର କମାଣ୍ଡ କଣ୍ଟ୍ରୋଲ ରୁମରୁ ୪୫୨ଟି କେନ୍ଦ୍ରକୁ ସିଧାସଳଖ ନିରୀକ୍ଷଣ କରାଯାଉଥିବା ବେଳେ, କୌଣସି ଅନିୟମ ରୋକିବା ପାଇଁ ପ୍ରଶାସନ ସଜାଗ ରହିଛି।