ନୂଆଦିଲ୍ଲୀ: ମଦ୍ୟପାନ କରି ବିମାନ ଉଡାଣ ଭରିବାକୁ ଯାଉଥିବା ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ଶେଷମୁହୂର୍ତ୍ତରେ ଚିହ୍ନଟ କରି ବିମାନରୁ ଓହ୍ଲାଇ ଦିଆଯାଇଛି। ଏହି ଘଟଣାର ଫଳରେ କାନାଡାର ଭାନକୁଭରରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନ AI186 ବିଳମ୍ବିତ ହୋଇଥିଲା। ସତର୍କତା ଯୋଗୁଁ ଏକ ସମ୍ଭାବ୍ୟ ବଡ଼ ଅଘଟଣାରୁ ଶତାଧିକ ଯାତ୍ରୀ ବର୍ତ୍ତିଯାଇଥିବା କୁହାଯାଉଛି।
ରିପୋର୍ଟ ଅନୁସାରେ, ୨୩ ଡିସେମ୍ବର ୨୦୨୫ ତାରିଖରେ ଉଡ଼ାଣ ପୂର୍ବରୁ ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ କର୍ମଚାରୀ ପାଇଲଟଙ୍କୁ ମଦ କିଣୁଥିବା ଓ ସେବନ କରୁଥିବା ଦେଖିଥିଲେ। ଏହାପରେ ସେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଅଭିଯୋଗ ପାଇବା ସହିତ ପାଇଲଟଙ୍କ ଯାଞ୍ଚ କରାଯାଇଥିଲା, ଯେଉଁଥିରେ ସେ ନିଶାଗ୍ରସ୍ତ ଥିବା ସ୍ପଷ୍ଟ ହୋଇଥିଲା।
ସୂତ୍ରମାନଙ୍କ କହିବା ଅନୁଯାୟୀ, ପାଇଲଟଙ୍କ ଶ୍ୱାସରୁ ମଦର ଗନ୍ଧ ଆସୁଥିବାରୁ କାନାଡୀୟ କର୍ତ୍ତୃପକ୍ଷ ତାଙ୍କ ଡ୍ୟୁଟି ପାଇଁ ଫିଟନେସ୍ ଉପରେ ଗଭୀର ଚିନ୍ତା ପ୍ରକାଶ କରିଥିଲେ। ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ ତାଙ୍କୁ ଉଡ଼ାଣରୁ ହଟାଇ ଅଧିକ ପଚରାଉଚରା କରାଯାଇଥିଲା।
ଯାତ୍ରୀ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏୟାର ଇଣ୍ଡିଆ ତୁରନ୍ତ ଜଣେ ବ୍ୟାକଅପ୍ ପାଇଲଟଙ୍କୁ ନିଯୁକ୍ତ କରିଥିଲା। ଏହି କାରଣରୁ ବିମାନ କିଛି ସମୟ ବିଳମ୍ବରେ ଉଡ଼ାଣ ଭରିଥିଲା।
ଏୟାର ଇଣ୍ଡିଆ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଆପତ୍ତି ପରେ ସମ୍ପୃକ୍ତ ପାଇଲଟଙ୍କୁ ତୁରନ୍ତ ବିମାନରୁ ବାହାର କରାଯାଇଛି ଏବଂ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ତାଙ୍କୁ ଡ୍ୟୁଟିରୁ ବିରତ ରଖାଯାଇଛି। ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଏୟାରଲାଇନ୍ସ ଦୁଃଖ ପ୍ରକାଶ କରିବା ସହ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ପୂର୍ଣ୍ଣ ସହଯୋଗ କରୁଥିବା କଥା କହିଛି।





