ପ୍ରୟାଗରାଜ: ପୌଷ ପୂର୍ଣ୍ଣିମାର ପବିତ୍ର ତିଥି ସହିତ ବିଶ୍ୱପ୍ରସିଦ୍ଧ ‘ମାଘ ମେଳା ୨୦୨୬’ ଆଜି ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ କୂଳରେ ଆରମ୍ଭ ହୋଇଛି। ଗଙ୍ଗା, ଯମୁନା ଓ ସରସ୍ୱତୀଙ୍କ ପବିତ୍ର ମିଳନ ସ୍ଥଳରେ ବ୍ରହ୍ମ ମୁହୂର୍ତ୍ତରୁ ‘ହର ହର ଗଙ୍ଗେ’ ମନ୍ତ୍ରଧ୍ୱନି ମଧ୍ୟରେ ଶ୍ରଦ୍ଧାଳୁମାନେ ସ୍ନାନ ଆରମ୍ଭ କରିଥିଲେ। ପ୍ରଥମ ଦିନରେ ପ୍ରାୟ ୨୧ ଲକ୍ଷ ଭକ୍ତ ସଙ୍ଗମରେ ପବିତ୍ର ବୁଡ଼ ପକାଇଥିବା ସୂଚନା ମିଳିଛି।
ଆଗାମୀ ମହାଶିବରାତ୍ରୀ ପର୍ଯ୍ୟନ୍ତ ୪୪ ଦିନ ଧରି ଚାଲିବାକୁ ଥିବା ମାଘ ମେଳା ପୌଷ ପୂର୍ଣ୍ଣିମାର ପ୍ରଥମ ସ୍ନାନ ସହ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଶ୍ରଦ୍ଧାଳୁ ସଙ୍ଗମ କୂଳକୁ ପହଞ୍ଚି ଆସ୍ଥା ଓ ବିଶ୍ୱାସର ପବିତ୍ର ସ୍ନାନ କରିଛନ୍ତି। ଏହା ସହିତ ଏକ ମାସ ଧରି ଚାଲିବାକୁ ଥିବା ‘କଳ୍ପବାସ’ ପରମ୍ପରା ମଧ୍ୟ ଆଜିଠାରୁ ଆରମ୍ଭ ହୋଇଯାଇଛି।
ଧାର୍ମିକ ବିଶ୍ୱାସ ଅନୁସାରେ, ମାଘ ମାସରେ ପ୍ରୟାଗରାଜରେ ସ୍ନାନ ଓ କଳ୍ପବାସ କଲେ ସମସ୍ତ ପାପରୁ ମୁକ୍ତି ଏବଂ ମୋକ୍ଷ ପ୍ରାପ୍ତି ହୁଏ। କଳ୍ପବାସୀମାନେ ସଙ୍ଗମ କୂଳରେ ତମ୍ବୁ ଗାଡ଼ି ସାତ୍ତ୍ୱିକ ଜୀବନଯାପନ କରୁଛନ୍ତି। ସେମାନେ ଦିନକୁ ଥରେ ଭୋଜନ, ନିୟମିତ ସ୍ନାନ, ଭଗବାନଙ୍କ ନାମଜପ ଓ ଭଜନ-କୀର୍ତ୍ତନରେ ଅଧିକାଂଶ ସମୟ ଅତିବାହିତ କରନ୍ତି।
ମାଘ ମେଳା ୨୦୨୬ର ପ୍ରମୁଖ ସ୍ନାନ ତିଥିଗୁଡ଼ିକ:
- ପୌଷ ପୂର୍ଣ୍ଣିମା (୩ ଜାନୁଆରୀ ୨୦୨୬): ମେଳା ଓ କଳ୍ପବାସର ଶୁଭାରମ୍ଭ
- ମକର ସଂକ୍ରାନ୍ତି (୧୪/୧୫ ଜାନୁଆରୀ ୨୦୨୬): ସ୍ନାନ ଓ ଦାନର ବିଶେଷ ପୁଣ୍ୟ
- ମୌନୀ ଅମାବାସ୍ୟା (୧୯ ଜାନୁଆରୀ ୨୦୨୬): ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ନାନ
- ବସନ୍ତ ପଞ୍ଚମୀ (୨୨ ଜାନୁଆରୀ ୨୦୨୬): ମା’ ସରସ୍ୱତୀ ପୂଜା ସହ ଶାହୀ ସ୍ନାନ
- ମାଘୀ ପୂର୍ଣ୍ଣିମା (୧ ଫେବୃଆରୀ ୨୦୨୬): କଳ୍ପବାସ ସମାପ୍ତି
- ମହାଶିବରାତ୍ରୀ (୧୫ ଫେବୃଆରୀ ୨୦୨୬): ମାଘ ମେଳାର ଶେଷ ପ୍ରମୁଖ ସ୍ନାନ
ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁରକ୍ଷା ପାଇଁ ଉତ୍ତର ପ୍ରଦେଶ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସଙ୍ଗମ ଅଞ୍ଚଳକୁ ବିଭିନ୍ନ ସେକ୍ଟରରେ ବିଭକ୍ତ କରାଯାଇଥିବା ବେଳେ, ହଜାର ହଜାର ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପାନୀୟ ଜଳ, ସ୍ୱାସ୍ଥ୍ୟ ଶିବିର, ଶୌଚାଳୟ ଓ ଅସ୍ଥାୟୀ ଆଶ୍ରୟ ସ୍ଥଳୀର ବ୍ୟବସ୍ଥା କରାଯାଇଛି।
ଭକ୍ତଙ୍କ ବିଶ୍ୱାସ ଅନୁସାରେ, ସଙ୍ଗମରେ ଗୋଟିଏ ପବିତ୍ର ବୁଡ଼ ଅଶ୍ୱମେଧ ଯଜ୍ଞର ସମାନ ପୁଣ୍ୟ ଫଳ ଦେଇଥାଏ। ମାଘ ମେଳା କେବଳ ଧାର୍ମିକ ଆୟୋଜନ ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତି, ଆସ୍ଥା ଓ ଏକତାର ଜୀବନ୍ତ ପ୍ରତୀକ ଭାବେ ପରିଚିତ।





