ଢାକା: ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁ ସମୁଦାୟ ଉପରେ ଆକ୍ରମଣ ଘଟଣା ଥମ୍ବିବାର ନାମ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଜଣ ହିନ୍ଦୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ଦେଶବ୍ୟାପୀ ଚିନ୍ତା ଓ ଆତଙ୍କ ସୃଷ୍ଟି କରିଛି।
ରିପୋର୍ଟ ଅନୁସାରେ, ସୋମବାର ରାତି ପ୍ରାୟ ୧୦ଟା ସମୟରେ ନରସିଙ୍ଗଡି ଜିଲ୍ଲାରେ ଜଣେ ତେଜରାତି ଦୋକାନ ମାଲିକ ମୋନି ଚକ୍ରବର୍ତ୍ତୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣାର କିଛି ଘଣ୍ଟା ପୂର୍ବରୁ ଯଶୋର ଜିଲ୍ଲାରେ ଆଉ ଜଣେ ହିନ୍ଦୁ ବ୍ୟବସାୟୀ ଓ ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ ଥିବା ୪୫ ବର୍ଷୀୟ ରାଣା ପ୍ରତାପଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସୋମବାର ସନ୍ଧ୍ୟାରେ କିଛି ଅଜ୍ଞାତ ଲୋକ ତାଙ୍କୁ କାରଖାନାରୁ ଡାକି ନିକଟସ୍ଥ ଗଳିକୁ ନେଇ ଗୁଳି ମାଡ଼ କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଆକ୍ରମଣକାରୀମାନେ ମୋଟରସାଇକେଲରେ ଆସି ଘଟଣା ଘଟାଇ ପଳାଇଯାଇଥିଲେ। ପୁଲିସ କହିଛି ଯେ, ପ୍ରତାପଙ୍କ ମୁଣ୍ଡରେ ତିନିଟି ଗୁଳି ଲାଗିଥିଲା ଏବଂ ଘଟଣାର ତଦନ୍ତ ଚାଲିଛି।
ଏହାଛଡ଼ା, ସମ୍ପ୍ରତି ଝିନାଇଦା ଜିଲ୍ଲାରେ ଜଣେ ହିନ୍ଦୁ ମହିଳାଙ୍କ ସହ ଘଟିଥିବା ନିର୍ଯ୍ୟାତନା ଘଟଣା ମଧ୍ୟ ସାଧାରଣ ଲୋକଙ୍କୁ ଆତଙ୍କିତ କରିଛି। ଅଭିଯୋଗ ଅନୁସାରେ, ଦୁଇଜଣ ଯୁବକ ତାଙ୍କୁ ଆକ୍ରମଣ କରି ଟଙ୍କା ଦାବି କରିଥିଲେ ଏବଂ ପରେ ନିର୍ମମ ଭାବେ ନିର୍ଯ୍ୟାତନା ଦେଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଭାରି ପ୍ରତିକ୍ରିୟା ଦେଖାଦେଇଛି।
ଉଲ୍ଲେଖନୀୟ ଯେ, ଜାନୁଆରି ୩ ତାରିଖରେ ୫୦ ବର୍ଷୀୟ ଖୋକନ ଚନ୍ଦ୍ର ଦାସଙ୍କୁ ଆକ୍ରମଣ ପରେ ଜୀବନ୍ତ ଜଳାଇ ଦିଆଯାଇଥିଲା। ସେହିପରି ଡିସେମ୍ବର ମାସରେ ରାଜବାରୀ, ମୈମନସିଂ ଓ ଚିଟାଗଙ୍ଗ ଅଞ୍ଚଳରେ ମଧ୍ୟ ହିନ୍ଦୁଙ୍କ ଉପରେ ହିଂସାତ୍ମକ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି।
ଏକ ପରେ ଏକ ଏପରି ଘଟଣା ବଢ଼ି ଚାଲିଥିବାରୁ ବାଂଲାଦେଶରେ ହିନ୍ଦୁ ସମୁଦାୟର ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି ଏବଂ ସରକାରଙ୍କ ଭୂମିକା ଉପରେ ଆଲୋଚନା ଜୋର ଧରିଛି।





