ନୂଆଦିଲ୍ଲୀ, ୧୨।୧: ଆମେରିକାରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଇମିଗ୍ରେସନ ନୀତିକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଭିସା ରଦ୍ଦ କରାଯାଇଛି। ଏହି ତାଲିକାରେ ପ୍ରାୟ ୮,୦୦୦ ଛାତ୍ର ଭିସା ଏବଂ ପ୍ରାୟ ୨,୫୦୦ ସ୍ପେଶାଲ କ୍ୟାଟେଗୋରୀ ଭିସା ସାମିଲ ରହିଛି।

ରିପୋର୍ଟ ଅନୁସାରେ, ୨୦୨୫ ମସିହାରେ ଭିସା ରଦ୍ଦ ହେବାର ଏହି ସଂଖ୍ୟା ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ୨୦୨୪ କାର୍ଯ୍ୟକାଳ ତୁଳନାରେ ଦୁଇ ଗୁଣରୁ ଅଧିକ। ଅଧିକାଂଶ ମାମଲାରେ ବ୍ୟବସାୟିକ ଓ ପର୍ଯ୍ୟଟନ ଭିସାଧାରୀ ନିର୍ଦ୍ଧାରିତ ସମୟ ଶେଷ ହେବା ପରେ ମଧ୍ୟ ବେଆଇନ ଭାବେ ଆମେରିକାରେ ରହୁଥିବା ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଏହାସହିତ ମଦ୍ୟପାନ କରି ଗାଡ଼ି ଚଳାଇବା, ମାରପିଟ୍, ଚୋରି, ଶିଶୁ ନିର୍ଯାତନା ଓ ପ୍ରତାରଣା ଭଳି ଅପରାଧରେ ସଂପୃକ୍ତ ବ୍ୟକ୍ତିଙ୍କ ଭିସା ମଧ୍ୟ ରଦ୍ଦ କରାଯାଇଛି। ପ୍ରାୟ ୫୦୦ ଛାତ୍ରଙ୍କ ଭିସା ନିଶାଦ୍ରବ୍ୟ ବ୍ୟବହାର କିମ୍ବା ବିକ୍ରି ସମ୍ପର୍କିତ ଅଭିଯୋଗ ଆଧାରରେ ବାତିଲ ହୋଇଛି।

ଟ୍ରମ୍ପ ପ୍ରଶାସନ ଇମିଗ୍ରେସନ ବ୍ୟବସ୍ଥାରେ ବଡ଼ ଧରଣର ସୁଧାର ଓ କଠୋରତା ଆଣୁଥିବାରୁ ଆମେରିକାରେ ବସବାସ କରୁଥିବା ବିଦେଶୀ ନାଗରିକ, ବିଶେଷକରି ଭାରତୀୟମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଆମେରିକା ସରକାର ସ୍ପଷ୍ଟ କରିଛି ଯେ ଜାତୀୟ ସୁରକ୍ଷା ଓ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି କଠୋର ପଦକ୍ଷେପ ଆଗାମୀ ଦିନରେ ମଧ୍ୟ ଜାରି ରହିବ।